କୁକୁର ଛୁଆ ଭାବି ଘରକୁ ନେଇଆସିଥିଲେ, ଟୁଇଟ କରି ଲେଖିଲେ, ‘କିଏ ଏହାର ମାଲିକ’? ହେଲେ ପରେ ସାମ୍ନାକୁ ଆସିଲା ପ୍ରକୃତ ସତ

ଜାପାନର ଜଣେ ବ୍ୟକ୍ତି ଟୁଇଟରରେ କରିଥିବା ନିଜ ପୋଷ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଛୋଟ ଜନ୍ତୁର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ମୋତେ ଏହି କୁକୁର ଛୁଆ ରାସ୍ତାରୁ ମିଳିଛି। ମୁଁ ଏହାକୁ ବର୍ତ୍ତମାନ ମୋ ଘରକୁ ନେଇ ଆସିଛି। ଏହାସହିତ ମୁଁ ତା’ର ନାଁ ‘ଲୁନା’ ରଖିଛି। ମୁଁ ଏହାକୁ ତା’ ମାଲିକ ସହ ମିଳେଇବାକୁ ଚାହୁଁଛି। ଏଥିପାଇଁ ମୁଁ ଏହାର ଫଟୋ ଆପଣମାନଙ୍କ ସହ ସେୟାର କରିଛି’।

ଏହି ୟୁଜରଙ୍କ ନାଁ @marcy_com। ତାଙ୍କର ଏହି ପୋଷ୍ଟ ପଢି ଲୋକେ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା କୁକୁର ଛୁଆ ନୁହେଁ, ବରଂ କୋକିଶିଆଳି ଛୁଆ’। ସେହିପରି ଆଉ ଜଣେ ଲେଖିଥିଲେ, ‘କ’ଣ ଏହା କୋକିଶିଆଳି ଛୁଆ? ଆପଣ ଏହାକୁ ଜଙ୍ଗଲରେ ନେଇ ଛାଡ଼ିଦେବା ଉଚିତ, ଯେଉଁଠୁ ଆପଣ ଏହାକୁ ଆଣିଥିଲେ’। ଜଣେ କହିଥିଲେ, ‘ମୋତେ ଏହା ରକୁନ ପ୍ରଜାତିର ଲାଗୁଛି’।

ତେବେ ବ୍ୟକ୍ତି ଜଣକ ଏହି ଛୋଟ ଜନ୍ତୁର ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ଜନ୍ତୁଟି କୁକୁର ଭଳି ଭୁକୁନି, ବରଂ ଅଲଗା ପ୍ରକାରର ଶବ୍ଦ ବାହାର କରୁଥିବାର ନଜର ଆସିଛି। ଟୁଇଟରରେ ବିଭିନ୍ନ ପ୍ରତିକ୍ରିୟା ଆସିବା ପରେ ବ୍ୟକ୍ତି ଉକ୍ତ ଜନ୍ତୁକୁ ନେଇ ପଶୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଏହା କୋକିଶିଆଳି ଛୁଆ ବୋଲି ଜଣାପଡିଥିଲା।

ଜାପାନରେ କୋକିଶିଆଳି ପାଳିବା ବେଆଇନ ଥିବାରୁ ବ୍ୟକ୍ତି ଜଣକ ତାକୁ ସହର ନିକଟସ୍ଥ Fox Century of Kitamiକୁ ଦେଇ ଦେଇଥିଲେ। ଏହାପରେ ସେ ଏ ନେଇ ଟୁଇଟରରେ ସୂଚନା ବି ଦେଇଥିଲେ। ଆଉ ଲେଖିଥିଲେ, ‘ଲୁନା ଅନ୍ୟ କୋକିଶିଆଳିଙ୍କ ସହ ଖେଳୁଛି। ଏବେ ସେ ନିଜ ଲୋକଙ୍କ ସହ ଆରାମରେ ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.