ଭୁଲ୍‌ ପାର୍ଶ୍ୱରୁ ଆସୁଥିଲା ବାଇକ୍‌; ପୋଲିସ ଅଟକାଇବାରୁ ରାଗିରେ ପାଚି ଲାଲ୍‌ ହୋଇଥିଲେ ଚାଳକ…ଶେଷରେ ନିଜ ଗାଡ଼ିରେ ହିଁ ଲଗାଇଦେଲେ ନିଆଁ

ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାଇକ୍‌ ଚାଳକ ନିଜ ଗାଡ଼ିରେ ହିଁ ନିଆଁ ଲଗାଇ ଦେଇଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ପୋଲିସ ତାଙ୍କୁ ଅଟକାଇବାରୁ ଚାଳକ ଜଣକ ଏଥିରେ ରାଗି ଯାଇଥିଲେ ଏବଂ ଏହାର କିଛି ସମୟ ପରେ ନିଜ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅମିରପେଟର ମୈତ୍ରୀବନମ୍‌ରେ ଘଟିଥିବା ସୂଚନା ରହିଛି। ତେବେ ବାଇକ୍‌ରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରି ନେଇଥିବା ବେଳେ ତାଙ୍କ ନାଁ ଏସ୍‌ ଅଶୋକ ବୋଲି ଜଣାପଡ଼ିଛି। ତାଙ୍କର ଅମିରପେଟରେ ଏକ ମୋବାଇଲ ଫୋନ ଦୋକାନ ରହିଛି।

ଖବରରୁ ଜଣାପଡ଼ିଛି ଯେ ଅଶୋକ ରାସ୍ତାର ଭୁଲ୍‌ ପାର୍ଶ୍ୱରେ ଗାଡ଼ି ଚଲାଉଥିଲେ। ସେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାରୁ ପୋଲିସ ତାଙ୍କୁ ଅଟକାଇ ଦେଇଥିଲା। ହେଲେ ବ୍ୟକ୍ତି ଜଣକ ଏହି ସମୟରେ ହଠାତ୍‌ ରାଗିଯାଇ ପୋଲିସ ସହ ମାରପିଟ ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ସେ ପାଖରେ ଥିବା ନିଜ ଦୋକାନ ଭିତରକୁ ଯାଇଥିଲେ, ଦୋକାନରୁ ପେଟ୍ରୋଲ ବୋତଲ ଆଣି ଏହାକୁ ନିଜ ବାଇକ୍‌ ଉପରେ ଢାଳି ପକାଇଥିଲେ ଏବଂ ସେଥିରେ ନିଆଁ ଲଗାଇ ଦେଇଥିଲେ।

ଟ୍ରାଫିକ୍‌ ପୋଲିସ ଏ ନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା ପୋଲିସକୁ ସୂଚନା ଦେଇଥିଲା। ପୋଲିସ ପହଞ୍ଚି ତୁରନ୍ତ ନିଆଁକୁ କାବୁ କରି ନେଇଥିଲା। ପୋଲିସର କହିବା ହେଲା, ବାଇକ୍‌ ଚାଳକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ଜଣେ ଟ୍ରାଫିକ୍‌ ହୋମ୍‌ଗାର୍ଡ ଦେଖିବାକୁ ପାଇଥିଲେ କି, ଜଣେ ଦୁଇଚକିଆ ଗାଡ଼ି ଚାଳକ ବିପରୀତ ଦିଗରୁ ଆସୁଛନ୍ତି ଏବଂ ଯାତାୟାତ ରାସ୍ତାରେ ହିଁ ସମସ୍ୟା ସୃଷ୍ଟି କରୁଛନ୍ତି। ଏହା ଦେଖି ଯାତାୟାତ ଅଧିକାରୀ ଉକ୍ତ ବାଇକ୍‌ ଚାଳକଙ୍କୁ ଅଟକାଇଥିଲେ। ଏହାର କିଛି ସମୟ ପରେ ବାଇକ୍‌ ଚାଳକ ସେଠାରେ ଥିବା ନିଜ ଦୋକାନ ଭିତରକୁ ଚାଲିଯାଇ ଏକ ପେଟ୍ରୋଲ ବୋତଲ ଆଣିଥିଲେ। ଏହାପରେ ସେ ପେଟ୍ରୋଲ ପକାଇ ନିଜ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ସେପଟେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ବ୍ୟକ୍ତି ଟ୍ଵିଟ୍‌ କରି ଲେଖିଛନ୍ତି, ବ୍ୟକ୍ତି ଜଣକ ଭୁଲ୍‌ ପାର୍ଶ୍ୱରୁ ଆସୁଥିଲେ, ସେତିକି ବେଳେ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲା। ବ୍ୟକ୍ତି କହିଥିଲେ କି, ତାଙ୍କୁ ପୋଲିସ ଉପରକୁ ରାଗ ଆସିଥିଲା। ପୋଲିସ ସହ ଯୁକ୍ତିତର୍କ ହେବା ଦ୍ୱାରା ସେ ନିଜ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.