ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି

ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ । ସାଧାରଣତନ୍ତ୍ର ଦିବସରେ ନୌ ସେନା, ସ୍ଥଳ ସେନା ଓ ବାୟୁସେନା ଦେଖାଇବେ ଯୁଦ୍ଧ କୌଶଳ । ଏଥର ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଉଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ସାମରୋହରେ ସାମିଲ ହେବେ। ସମାରୋହରେ ମୁଖ୍ୟ ଆକର୍ଷଣ ସାଜିବ ଭାରତୀୟ ବାୟୁସେନା ବିମାନର ଫ୍ଲାଏ ପାଷ୍ଟ। ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶପଥରୁ ରହିଛି ତୀକ୍ଷଣ ନଜର ।
ଏହି ସ୍ୱତନ୍ତ୍ର ଦିବସର ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ କର୍ତ୍ତବ୍ୟ ପଥ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୁଲିସର ଯବାନମାନେ କୋଣ ଅନୁକୋଣରେ ସତର୍କ ନଜର ରଖିବା ସହ ସବୁଠି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରୁଛନ୍ତି। ପରେଡ୍ ମାର୍ଗ ପାଇଁ ୬ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୁଲିସ କହିଛି । କର୍ତବ୍ୟ ପଥର ପ୍ରଥମ ବାହ୍ୟ ସୁରକ୍ଷା ସ୍ତରରେ ଦିଲ୍ଲୀ ପୁଲିସ, ଅତିରିକ୍ତ ରିଜର୍ଭ ପୁଲିସ, କ୍ୱିକ୍ ରେସପନ୍ସ ଟିମ୍, ସ୍ୱାଟ୍ କମାଣ୍ଡୋ, ବୋମା ନିଷ୍କ୍ରିୟକାରୀ, ତଦନ୍ତକାରୀ ଦଳ ଏବଂ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ସମେତ ୧୫ ହଜାର କର୍ମଚାରୀ ରହିବେ ।
ଆହୁରି ପଢନ୍ତୁ : ଦେଶର ଦ୍ଵିତୀୟ ଓ ବିଶ୍ୱର ତୃତୀୟ ମନ୍ଥର ସହର ବେଙ୍ଗାଲୁରୁ, ୧୦ କିମି ଯିବାକୁ ଲାଗୁଛି ୧ ଘଣ୍ଟା