VIDEO: କ’ଣ ଚୀନବାସୀଙ୍କ ପାଇଁ ଏହା ଭୟଙ୍କର ସଙ୍କେତ କି…ହଠାତ୍‌ ରକ୍ତ ବର୍ଣ୍ଣ ହୋଇଗଲା ଆକାଶ; ଭୟରେ ଥରି ଉଠିଲେ ଲୋକେ

ଚୀନର ଆକାଶ ହଠାତ୍‌ ହୋଇଗଲା ରକ୍ତ ବର୍ଣ୍ଣ। ଏହା ଦେଖି ଲୋକଙ୍କ ମନରେ ଛାନିଆ ପଶିଗଲା। ଭୟରେ ଥରି ଉଠିଲେ ସ୍ଥାନୀୟ ବାସିନ୍ଦା। ଏକ୍‌ଦମ ରକ୍ତ ପରି ଲାଲ୍‌ ଦିଶୁଥିଲା ଆକାଶ। କରୋନା ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସାଂଘାଇର ନିକଟବର୍ତ୍ତୀ ସହର ଝାଉଶାନ ଆକାଶରେ ଶନିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ନାଲି ରଙ୍ଗର ଆକାଶକୁ ଦେଖି ଲୋକେ ବିଭିନ୍ନ କଳ୍ପନା ଜଳ୍ପନା କରିବା ଆରମ୍ଭ କରି ଦେଇଥିଲେ। କିଛି ଜଣ ଭାବୁଥିଲେ ଯେ କରୋନା ଆହୁରି ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି ଏବଂ ପ୍ରକୃତି ଏହାର ସଙ୍କେତ ଦେଉଛି। ଏପରି କି, ଛୋଟ ପିଲାମାନେ ମଧ୍ୟ ଲାଲ୍‌ ଆକାଶକୁ ଦେଖି ଭୟରେ ଘରୁ ବାହାରି ନ ଥିଲେ।

ଶନିବାର ଆକାଶରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟକୁ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଥିଲେ, ଯାହାକି କେଇ ସେକେଣ୍ଡ୍‌ ଭିତରେ ଖୁବ୍‌ ଭାଇରାଲ ହୋଇଥିଲା। ଲୋକମାନେ ଆଶଙ୍କା କରିଥିଲେ କି, ଏହା କରୋନା ସହ ଜଡିତ ଏକ ଅଶୁଭ ସଙ୍କେତ ହୋଇପାରେ।

କ’ଣ ରହିଛି ଲାଲ୍ ଆକାଶର ସତ୍ୟତା

ଝାଉଶାନର ପାଣିପାଗ ବିଭାଗ ଏ ନେଇ ପ୍ରତିକ୍ରିୟା ଦେଇ କହିଛି ଯେ ଏହି ଘଟଣାରେ କୌଣସି ବି ଅଲୌକିକତା ନାହିଁ। ସେଦିନ କୁହୁଡି ବହୁତ ଅଧିକ ଥିଲା ଏବଂ ବାଦଲ କମ୍ ଉଚ୍ଚତାରେ ଥିଲା। ଆଲୋକର ପ୍ରତିଫଳନ ଯୋଗୁ ଏହି ଘଟଣା ଘଟିଛି।

ତେବେ ସରକାରୀ ମିଡିଆ ମୁତାବକ, ସ୍ଥାନୀୟ ଏକ ମତ୍ସ୍ୟଜୀବୀ କମ୍ପାନୀ ନିଶ୍ଚିତ କରିଛି ଯେ ଏହି ଆଲୋକର ପ୍ରତିଫଳନ ସେମାନଙ୍କ ମତ୍ସ୍ୟଜୀବୀ ଡଙ୍ଗାରୁ ହିଁ ହୋଇଛି। କମ୍ପାନୀର ଡେପୁଟି ମ୍ୟାନେଜରଙ୍କ କହିବା ହେଲା, ଲାଲ୍‌ ରଙ୍ଗର ଆଲୋକ ଆମ ଫିଶିଙ୍ଗ୍‌ ବୋଟ୍‌ରୁ ଆସୁଥିଲା। ଆମକୁ ମାଛ ଧରିବା ସମୟରେ ଏହାକୁ ଚାଲୁ କରାଇବାକୁ ପଡ଼ିଥାଏ। ଯେତେବେଳେ ଲାଇଟ୍‌ଗୁଡ଼ିକ ଜଳିଥାଏ, ତ ଏହା ପାଣିରେ ଧକ୍କା ହୋଇ ଆକାଶକୁ ଉଠିଥାଏ। କିନ୍ତୁ ପାଗ କୁହୁଡ଼ିଆ ଥିବାରୁ ଏହା ଲାଲ୍‌ ଦେଖା ଯାଉଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଅତି ସାଧାରଣ ଘଟଣା ହୋଇଥାଏ।

ସେପଟେ ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ‘ଆକାଶ ରକ୍ତ ପରି ଲାଲ୍‌ ହୋଇଛି, ଯାହା ଦେଖିବାକୁ ଭଲ ଲାଗୁନାହିଁ’। ଦ୍ୱିତୀୟ ୟୁଜର ଲେଖିଛନ୍ତି, ‘ଆକାଶ ଲାଲ୍‌ ହେବା ସାଧାରଣ କଥା ନୁହେଁ। ସାତ ଦିନ ଭିତରେ ଭୂକମ୍ପ ହେବ’। ସେହିପରି ଅନ୍ୟ ଜଣେ ୟୁଜର ଆକାଶର ରଙ୍ଗକୁ ନେଇ ଖୁବ୍‌ଶୀଘ୍ର ବିଶ୍ୱ ଧ୍ୱଂସ ହେବ ବୋଲି କହିଥିଲେ। କିନ୍ତୁ କିଛି ଲୋକ ଲାଲ୍‌ ଆକାଶକୁ ସକାରାତ୍ମକ ଢଙ୍ଗରେ ନେଇ କହିଥିଲେ ଯେ ‘ଆମ ଦେଶର ରଙ୍ଗ ଲାଲ। ଏହି ରଙ୍ଗ ଶୁଭଫଳ ଏବଂ ସମୃଦ୍ଧିର ପ୍ରତୀକ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.