ଲଖିମ୍‌ପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ୍‌; ସୁପ୍ରିମ୍‌କୋର୍ଟ ଦେଲେ ୮ ସପ୍ତାହର ଆଶ୍ୱସ୍ତି

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଚାଷୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ୮ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅନ୍ତରୀଣ ଜାମିନ୍‌ରେ ମୁକ୍ତ ହେବାର ୧ ସପ୍ତାହ ଭିତରେ ଆଶିଷ ମିଶ୍ରାଙ୍କୁ ୟୁପି ଛାଡ଼ିବାକୁ ହେବ। ୮ ସପ୍ତାହର ଅବଧି ସମୟରେ ସେ ଦିଲ୍ଲୀ କିମ୍ବା ୟୁପିରେ ରହି ପାରିବେ ନାହିଁ। ତାଙ୍କୁ ପାସ୍‌ପୋର୍ଟ ହସ୍ତାନ୍ତର କରିବାକୁ ପଡ଼ିବ ଏବଂ କେବଳ ଟ୍ରାଏଲ କୋର୍ଟଙ୍କ ଶୁଣାଣିରେ ଉପସ୍ଥିତ ହେବା ପାଇଁ ସେ ୟୁପି ଆସିପାରନ୍ତି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ଜାମିନ୍‌ ଅବଧି ଭିତରେ ଆଶିଷ ମିଶ୍ରା ଯେଉଁଠାରେ ବି ରହିବେ, ତାଙ୍କୁ ସେଠାକାର ପୋଲିସ ଥାନାରେ ହାଜର ହେବାକୁ ପଡ଼ିବ। କୋର୍ଟ ଏହି ମାମଲାରେ ନିଜର ସ୍ୱତନ୍ତ୍ର କ୍ଷମତା ଉପଯୋଗ କରି ହତ୍ୟା ମାମଲାର ଅନ୍ୟ ୪ ଦୋଷୀଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଆଶିଷ ମିଶ୍ରା କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସାକ୍ଷୀଙ୍କୁ ଧମକ ଦେବାକୁ ଚେଷ୍ଟା କରାଯାଏ, ତା’ ହେଲେ ଜାମିନ ନାମଞ୍ଜୁର ହେବାର ଏହା ଏକ ବୈଧ ଆଧାର ହେବ। ଆଶିଷ ମିଶ୍ରାଙ୍କୁ ଟ୍ରାଏଲ କୋର୍ଟଙ୍କ ଶୁଣାଣିରେ ହାଜର ହେବାକୁ ପଡ଼ିବ ଏବଂ ଯଦି ତାଙ୍କ ପକ୍ଷରୁ ଜାଣିଶୁଣି ମାମଲାକୁ ବିଳମ୍ବ କରିବାକୁ ଉଦ୍ୟମ କରାଯାଏ, ତେବେ ଜାମିନ ଖାରଜ ହୋଇପାରେ।

ସାକ୍ଷୀଙ୍କ ସାକ୍ଷ୍ୟ ସମ୍ବନ୍ଧରେ ଏକ ଷ୍ଟାଟସ୍ ରିପୋର୍ଟ ପଠାଇବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟ ମାର୍ଚ୍ଚ ୧୪ରେ କରିବେ।

Leave A Reply

Your email address will not be published.