ବିଧାୟକଙ୍କୁ ‘ଚଳନ୍ତା ଶବ’ କହି ଅଡ଼ୁଆରେ ଶିବସେନା ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ : ବିଦ୍ରୋହୀ ବିଧାୟକଙ୍କୁ ଚଳନ୍ତା ଶବ କହିଲେ ଶିବସେନା ନେତା ସଞ୍ଜୟ ରାଉତ । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହାଟୀରେ ଥିବାବେଳେ ସେମାନଙ୍କୁ ଚଳନ୍ତା ଶବ ବୋଲି ସମ୍ବୋଧନ କରିଛନ୍ତି ସଞ୍ଜୟ ରାଉତ । ସେମାନଙ୍କୁ ମୁର୍ଖ ବୋଲି କହିଛନ୍ତି । ଏହାପୂର୍ବରୁ ସଞ୍ଜୟ ରାଉତ ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ, ଗୌହାଟୀରେ ଥିବା ୧୫ ବିଧାୟକ ଶବ ଅଟନ୍ତି । ସେମାନଙ୍କ ପ୍ରାଣ ମରିସାରିଛି ବୋଲି କହିଥିଲେ । ଏହାସହ ସେ କହିଛନ୍ତି, ମହାରାଷ୍ଟ୍ରରେ ସେମାନଙ୍କ ପାଇଁ କୌଣସି କାମ ନାହିଁ ।

ଏପଟେ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀକୁ ସୋମବାର ଦିନ ସୁପ୍ରିମ କୋର୍ଟରୁ ଅସ୍ଥାୟୀ ଆଶ୍ବସ୍ତି ମିଳିଛି। ଆସନ୍ତା ମାସ ୧୨ ତାରିଖ ଯାଏଁ ସେମାନଙ୍କୁ ବିଧାନସଭାର ସଭ୍ୟପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ଚାଲିଥିବା ପ୍ରକ୍ରିୟା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି। ଏହି ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି କୋର୍ଟ ଉପବାଚସ୍ପତି, ଶିବସେନାର ମୁଖ୍ୟ ସଚେତକ, ଗୃହରେ ଶିବସେନାର ନେତା ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରୱାଲ ଯେଉଁ ନୋଟିସ ଦେଇଥିଲେ ତାହାକୁ ଚାଲେଞ୍ଜ କରି ଏହି ଗୋଷ୍ଠୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ‌ହୋଇଥିଲେ।