ଅଲିଗଡ଼: ସ୍କୁଲରୁ ଫେରୁଥିବା ୭ ଛାତ୍ରଙ୍କ ଉପରେ ଭୁଶୁଡ଼ିଲା ନିର୍ମାଣାଧୀନ ଘରର କାନ୍ଥ, ୨ ମୃତ

ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲାରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁ ଏଠାରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ସ୍କୁଲରୁ ୭ ଜଣ ଛାତ୍ର ଫେରୁଥିବା ବେଳେ ସେମାନଙ୍କ ଉପରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା, ଯାହାଫଳରେ ସମସ୍ତେ ଭଗ୍ନାବଶେଷ ତଳେ ଦବି ଯାଇଥିଲେ।

ଏହି ଦୁର୍ଘଟଣା ହୁସୈନପୁର ଶାହଜାଦପୁର ଅଞ୍ଚଳରେ ଘଟିଛି। ଏଥିରେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ରହିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ହୁସୈନପୁର ଶାହଜାଦପୁର ନିକଟସ୍ଥ ଏକ ସ୍କୁଲରୁ ଛାତ୍ରମାନେ ପାଠପଢ଼ି ଫେରୁଥିବା ବେଳେ ହଠାତ୍‌ ନିର୍ମାଣାଧୀନ କାନ୍ଥଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। କେହି କିଛି ଭାବିବା ଆଗରୁ ୭ ଜଣ ଯାକ ଭଗ୍ନାବିଶେଷ ତଳେ ଚାପି ହୋଇ ଯାଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଗ୍ରାମବାସୀ ଏବଂ ଜେସିବି ମେସିନ ସାହାଯ୍ୟରେ ପୋଲିସ ଭଗ୍ନାବଶେଷ ତଳୁ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳକୁ ୨ ଛାତ୍ରଙ୍କର ମୃତ୍ୟୁ ଘଟି ସାରିଥିଲା। ଦୁର୍ଘଟଣାରେ ଆହତ ୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.