ଗର୍ଭବତୀ ବୋଲି ଜଣାଇବାରୁ ଚାକିରିରୁ ବିଦା କରିଦେଲେ ବସ୍‌; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ! ଏବେ ୧୫ ଲକ୍ଷ ଗଣିବ କମ୍ପାନୀ

ଜଣେ ମହିଳା ଗର୍ଭବତୀ ଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ଏହି ଘଟଣାରେ କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି। ଏକ ରିପୋର୍ଟ ମୁତାବକ, ପ୍ରଶାସିନକ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ଗର୍ଭବତୀ ଥିବା ନେଇ ନିଜ ବସ୍‌ଙ୍କୁ ଜଣାଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଏହାର ତୁରନ୍ତ ପରେ ତାଙ୍କୁ ଚାକିରିରୁ ବିଦା କରି ଦିଆଯାଇଥିଲା। ଏବେ ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିବା ଜଣାପଡ଼ିଛି।

ରିପୋର୍ଟରେ କୁହାଯାଇଛି ଯେ ୩୪ ବର୍ଷୀୟା ଶାର୍ଲେଟ୍‌ ଲିଚ୍‌ଙ୍କୁ ତାଙ୍କ କମ୍ପାନୀର ବସ୍‌ ଚାକିରିରୁ ବିଦା କରି ଦେଇଥିଲେ, କାରଣ, ସେ ଗର୍ଭବତୀ ଥିଲେ। ଲିଚ୍‌ଙ୍କ କହିବା ହେଲା, ଏହି ଘଟଣା ପରେ ସେ ବହୁତ ଅପମାନିତ ଏବଂ ଖରାପ ଅନୁଭବ କରିଥିଲେ। ଲିଚ୍‌ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ କି, ଅତୀତରେ ତାଙ୍କର ଅନେକ ଥର ଗର୍ଭପାତ ହୋଇଛି, ଯେଉଁଥିପାଇଁ ବର୍ତ୍ତମାନ ସେ ନିଜର ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ହେଲେ କମ୍ପାନୀ ଏଭଳି ସ୍ଥିତିରେ ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ଚାକିରିରୁ ବରଖାସ୍ତ କରି ଦେଇଛି।

ସେପଟେ ଲିଚ୍‌ଙ୍କ ବସ୍‌ ଦାବି କରିଛନ୍ତି ଯେ ଲିଚ୍‌ କୌଣସି ବି ପ୍ରକାରେ ମାତୃତ୍ୱ ଅବକାଶ ନେବାର ହକଦାର ନୁହଁନ୍ତି। କାହିଁକି ନା, ସେ ଏ ଯାଏ ନୂଆ କର୍ମଚାରୀ ଅନୁବନ୍ଧ ଉପରେ ହସ୍ତାକ୍ଷର କରି ନ ଥିଲେ। କହି ରଖୁଛୁ, ବରଖାସ୍ତ କରାଯିବାର କିଛି ହିଁ ସପ୍ତାହ ଭିତରେ ଲିଚ୍‌ଙ୍କୁ ପୁଣିଥରେ ଗର୍ଭପାତର ସାମ୍ନା କରିବାକୁ ପଡ଼ିଛି।

ଟ୍ରିବ୍ୟୁନାଲଙ୍କୁ କୁହାଯାଇଛି କି, ଲିଚ୍‌ ମେ’ ୨୦୨୧ରେ ଜଣେ ପ୍ରଶାସନିକ ସହାୟକ ରୂପେ ସିଆଇସି ସେବାଗୁଡ଼ିକ ପାଇଁ କାମ ଆରମ୍ଭ କରିଥିଲେ ଏବଂ ତାଙ୍କର ବାର୍ଷିକ ବେତନ ୨୦,୦୦୦ ପାଉଣ୍ଡ ଥିଲା। ଏହା ନିର୍ଦ୍ଧାରିତ ହେବା ପରେ ଲିଚ୍‌ଙ୍କୁ ତାଙ୍କ ଗର୍ଭାବସ୍ଥା ସହ ଜଡ଼ିତ କାରଣ ପାଇଁ ବାହାର କରି ଦିଆଯାଇଥିଲା। ଏବେ ରୋଜଗାର ନ୍ୟାୟାଧିକରଣ କ୍ଷତିପୂରଣ ବାବଦରେ ତାଙ୍କୁ ୧୪,୮୮୫ ପାଉଣ୍ଡ (୧୪,୮୬, ୮୫୬ ଟଙ୍କା) ପ୍ରଦାନ କରିଛି।

Leave A Reply

Your email address will not be published.