ପରୀକ୍ଷାର୍ଥୀଙ୍କ କୁଖ୍ୟାତ ବୁଦ୍ଧି, ରେଲୱେ ଚାକିରି ପାଇବା ପାଇଁ ଗରମ ତାୱାରେ ହାତ ସେକି କଲେ ଏମିତି କାରନାମା …

ନୂଆଦିଲ୍ଲୀ : ଗୁଜୁରାଟର ଭଦୋଦରାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ, ରେଲୱେ ଚାକିରି ପାଇବା ପାଇଁ  ସବୁ ସୀମା ପର କରିଦେଲେ ଯୁବକ। ଜଣେ ପରୀକ୍ଷାର୍ଥୀ ପରୀକ୍ଷାରେ ପାସ୍ କରିବାକୁ ନିଜ ଆଙ୍ଗୁଠିର ଚର୍ମ କାଢ଼ି ସାଙ୍ଗ ଅଙ୍ଗୁଳିରେ ଅଠା ମାରି ଲଗେଇ ଦେଇଥିଲେ । ହେଲେ ତାଙ୍କର ଏପରି ଚାଲାକି କାମ ପରୀକ୍ଷକଙ୍କ ଆଖିରେ ଧରାପଡିଗଲା । ଏହା ପରେ ଉଭୟଙ୍କୁ ଗିରଫ କରିଛି ପୋଲିସ୍‌ ।

ଖବର ଅନୁସାରେ ରେଳବାଇର ଗ୍ରୁପ୍ ଡି ନିଯୁକ୍ତି ପରୀକ୍ଷାରେ ବିହାରର ଜଣେ ଯୁବକ ନିଜ ବନ୍ଧୁ ସ୍ଥାନରେ ବସି ପରୀକ୍ଷା ଦେବାପାଇଁ ଆସିଥିଲେ । ବାୟୋମେଟ୍ରିକ୍ ଯାଞ୍ଚରୁ ବଞ୍ଚିବା ପାଇଁ ବନ୍ଧୁ ଅଙ୍ଗୁଠିର ଚର୍ମକୁ ନିଜ ଆଙ୍ଗୁଠିରେ ଲଗାଇଥିଲେ । ବୁଧବାର ଦିନ ଉଭୟ ଯୁବକ ଗିରଫ ହୋଇଛନ୍ତି । ଉଭୟ ଯୁବକ ବିହାରର ମୁଙ୍ଗେର ଜିଲ୍ଲାର ବୋଲି ଜଣାପଡ଼ିଛି । ଭଦୋଦରାର ଅତିରିକ୍ତ ପୋଲିସ କମିଶନର (ଏସିପି)ଙ୍କ ସୂଚନା ଅନୁସାରେ, ପରୀକ୍ଷାରେ ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ବିହାରର ମୁଙ୍ଗେର ଜିଲ୍ଲାର ବାସିନ୍ଦା ରାଜଗୁରୁ ଗୁପ୍ତା । ସେହିଭଳି ପରୀକ୍ଷା ପାଇଁ ଆବେଦନ କରିଥିବା ଅଭିଯୁକ୍ତ ହେଉଛନ୍ତି ମନୀଷ ଗୁପ୍ତା ।

ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଚର୍ମ ଲାଗି ରହିଲେ ମଧ୍ୟ ସେମାନେ ଜାଲିଆତି କରିପାରିନଥାନ୍ତେ । ସେ କହିଥିଲେ ଯେ ଉଭୟଙ୍କ ବୟସ ପ୍ରାୟ 25 ବର୍ଷ ଏବଂ ସେମାନେ ଏହା ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିଲେ। ଭଦୋଦରାସ୍ଥିତ ଲକ୍ଷ୍ମୀପୁରା ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ରେଳବାଇ ଏକ ଘରୋଇ କମ୍ପାନୀକୁ ‘ଡି’ ଗ୍ରୁପ୍ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବା ଦାୟିତ୍ୱ ଦେଇଥିଲା ଏବଂ ଅଗଷ୍ଟ ୨୨ ରେ ଲକ୍ଷ୍ମୀପୁରା ଅଞ୍ଚଳରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୬୦୦ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। କିନ୍ତୁ ଏହି ପରୀକ୍ଷାରେ ମନୀଷ କୌଣସି ବି ପରିସ୍ଥିତିରେ ଉତ୍ତୀର୍ଣ୍ଣ ହେବା ପାଇଁ ତାଙ୍କ ସାଙ୍ଗ ରାଜଗୁରୁଙ୍କୁ ପରୀକ୍ଷାରେ ବସାଇବାକୁ ନିଷ୍ପତ୍ତି ନେଇଥିଲେ । ସେ ଆଙ୍ଗୁଠିର ଚର୍ମକୁ କାଟି ବାୟୋମେଟ୍ରିକ ଯାଞ୍ଚରୁ ରକ୍ଷା ପାଇବା ପାଇଁ ରାଜଗୁରୁଙ୍କ ଆଙ୍ଗୁଠିରେ ଲଗାଇଥିଲେ ।

ଅନ୍ୟପଟେ ନକଲକୁ ରୋକିବା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ ଯାଞ୍ଚ କରାଯାଇଥିଲା, ଯାହା ଅଧୀନରେ ବାୟୋମେଟ୍ରିକ୍ ଡିଭାଇସ୍ ସହିତ ଆଧାର କାର୍ଡ ତଥ୍ୟ ମିଳାଇବା ପରେ ମନୀଷଙ୍କ ଆଙ୍ଗୁଠି ଛାପ ମେଳ ଖାଇଲା ନାହିଁ । କାରଣ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମନୀଷ ପ୍ୟାନକୁ ଗରମ କରି ତାଙ୍କ ବାମ ହାତର ଆଙ୍ଗୁଠିକୁ ରଖିଥିଲେ । ଆଙ୍ଗୁଠି ପୋଡ଼ିଯିବା ପରେ ଫୁଲି ଯାଇଥିଲା । ଆଉ ସେ ଫୁଲା ଚର୍ମକୁ ଉତାରି ସାଙ୍ଗ ହାତରେ ଅଠା ଦେଇ ଲଗାଇ ଦେଇଥିଲେ । ସେହିପରି ରାଜଗୁରୁ ସବୁବେଳେ ତାଙ୍କ ବାମ ହାତକୁ ପକେଟରେ ରଖି ଲୁଚାଉଥିବାରୁ ପରୀକ୍ଷକଙ୍କ ସନ୍ଦେହ ଘେରକୁ ଆସିଥିଲେ । ଏହା ପରେ ପରୀକ୍ଷାର୍ଥୀଙ୍କ ହାତରେ ସାନିଟାଇଜର ଲଗାଇବା ପରେ ଆଙ୍ଗୁଠିରୁ ଚର୍ମକୁ ଆପେ ଆପେ ବାହାରି ଆସିଥିଲା । ଏବେ ଉଭୟଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ପୋଲିସ୍‌ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.