ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ! ଲାଗିବ ଏତିକି ଟଙ୍କା ଜରିମାନା; ବାୟୁ ପ୍ରଦୂଷଣକୁ ନଜରରେ ରଖି ସରକାର ନେଲେ ନିଷ୍ପତ୍ତି

ପାଖେଇ ଆସୁଛି ଦୀପାବଳି। ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା, ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି ରାଜଧାନୀରେ କେହି ବି ବ୍ୟକ୍ତି ବାଣ ଫୁଟାଉଥିବାର ଦେଖା ଯାଆନ୍ତି, ତ ତାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଯିବ। ଏଥି ସହିତ ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ। ବର୍ତ୍ତମାନ ପାଇଁ ଏହି ପ୍ରତିବନ୍ଧକ ଯେପରି ପ୍ରଭାବୀ ରୂପେ କାମ କରି ପାରିବ, ଏଥିପାଇଁ ୪୦୮ ଟିମ୍ ଗଠନ କରାଯାଇଛି। ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ ଟିମ୍ ଗଠନ କରିଛି। ଆୟକର ବିଭାଗ ମଧ୍ୟ ୧୬୫ ଟିମ୍ ଗଠନ କରିଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିର ମଧ୍ୟ ୩୩ ଟିମ୍ ମୁତୟନ ରହିବେ।
ଗୋପାଳ ରାୟ ଆହୁରି ସୂଚନା ଦେଇଛନ୍ତି ଯେ ଦିଲ୍ଲୀରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ‘ଦୀପ ଜଳାଅ, ବାଣ ନୁହେଁ’ ଅଭିଯାନ ଆରମ୍ଭ ହେବ। ସରକାର ନିଜେ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ ପାର୍କରେ ୫୧ ହଜାର ଦୀପ ପ୍ରଜ୍ଜ୍ୱଳନ କରିବେ। ସେ ଏହା ବି କହିଥିଲେ କି, ଏ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଦ୍ୱାରା ୨,୯୧୭ କିଲୋ ବାଣ ଜବତ କରାଯାଇ ସାରିଛି।
କହି ରଖୁଛୁ କି, ସେପ୍ଟେମ୍ବର ମାସରେ ସରକାର ବାଣ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ବାଣ ବିକ୍ରିଠାରୁ ଆରମ୍ଭ କରି ଫୁଟାଇବା ପର୍ଯ୍ୟନ୍ତ, ପ୍ରତ୍ୟେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଆସନ୍ତା ବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ।