ପାକିସ୍ତାନ: ମସ୍ଜିଦରେ ନମାଜ ପରେ ଆତ୍ମଘାତୀ ବିସ୍ଫୋରଣ; ୨୫ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ
ପାକିସ୍ତାନର ପେସାଓ୍ଵାରରେ ଥିବା ଏକ ମସ୍ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ବିସ୍ଫୋରଣ ଏତେ ଜୋରଦାର ଥିଲା କି, ମସ୍ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି।
ଖବର ରହିଛି, ପେସାଓ୍ଵାରର ପୋଲିସ ଲାଇନ୍ସ ନିକଟସ୍ଥ ମସ୍ଜିଦରେ ଜୋହର ନମାଜ ପରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କର ମାହୋଲ ନଜର ଆସୁଛି।
ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା କୁହାଯାଉଛି। ଏହି ଘଟଣା ପରେ ପୂରା ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରି ଦିଆଯାଇଛି ଏବଂ କେବଳ ଆମ୍ବୁଲାନ୍ସକୁ ହିଁ ଆସିବା ପାଇଁ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଘଟଣାସ୍ଥଳରେ ଜାରି ରହିଛି। ପୋଲିସର କହିବା ମୁତାବକ, ବିଲ୍ଡିଂର ଗୋଟିଏ ଭାଗ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଏହା ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି।
Strongly condemn the terrorist suicide attack in police lines mosque Peshawar during prayers. My prayers & condolences go to victims families. It is imperative we improve our intelligence gathering & properly equip our police forces to combat the growing threat of terrorism.
— Imran Khan (@ImranKhanPTI) January 30, 2023
ପାକିସ୍ତାନୀ ମିଡିଆ ମୁତାବକ, ଦ୍ୱିପ୍ରହର ପାଖାପାଖି ୧ଟା ୪୦ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମ୍ପର୍କରେ ଅବଗତ ହେବା ପରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।