୪ ଦିନ ଧରି ଚାଲିଥିଲା ଆତଙ୍କୀ ଲୀଳା, ଥରି ଉଠିଥିଲା ଦେଶର ଆର୍ଥିକ ରାଜଧାନୀ; ପୁଣି ଆତଙ୍କବାଦୀଙ୍କ କବଳରୁ ଏମିତି ରକ୍ଷା ପାଇଥିଲା ମୁମ୍ବାଇ

ତାରିଖ ୨୬ ନଭେମ୍ବର ୨୦୦୮, ଏହା ସେହି ଦିନ ଥିଲା, ଯେଉଁଦିନ ଲସ୍କର-ଏ-ତୈୟବାର ପାଖାପାଖି ୧୦ ଆତଙ୍କବାଦୀ ପୂରା ମୁମ୍ବାଇକୁ ଥରାଇ ଦେଇଥିଲେ। କୋଟି କୋଟି ଘର ଥରି ଉଠିଥିଲା। ଅଜମଲ କସାବ ସମେତ ଏହି ଆତଙ୍କବାଦୀମାନେ ଛତ୍ରପତି ମହାରାଜ ଟର୍ମିନସ୍‌ (CSMT), ତାଜ ମହଲ ପ୍ୟାଲେସ୍‌ ହୋଟେଲ, ହୋଟେଲ ଟ୍ରାଇଡେଣ୍ଟ, ନରୀମନ ହାଉସ୍‌, ଲିୟୋପୋଲ୍ଡ କ୍ୟାଫେ, କାମା ହସ୍ପିଟାଲ ଭଳି ମୁମ୍ବାଇର କେତେକ ପ୍ରମୁଖ ସ୍ଥାନକୁ ନିଜର ଟାର୍ଗେଟ ବନାଇ ଦେଇଥିଲେ।

ଏହି ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ସମେତ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେପଟେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡସ୍‌ ଏବଂ ମୁମ୍ବାଇ ପୋଲିସ ସାହସର ସହିତ ମୁକାବିଲା କରି ୯ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଇତିହାସରେ ଲିପିବଦ୍ଧ ରହିଥିବା ଏହି ପୂରା ଘଟଣା କ୍ରମରେ କେବଳ ଜଣେ ହିଁ ଆତଙ୍କୀ କସାବକୁ ଜୀବନ୍ତ ଧରାଯାଇ ପାରିଥିଲା। ପରେ ତାକୁ ମଧ୍ୟ ୨୧ ନଭେମ୍ବର ୨୦୧୨ରେ ଫାଶି ଦିଆ ଯାଇଥିଲା। ୨୬ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି ଆତଙ୍କ ଏବଂ ରକ୍ତପାତର ଲୀଳା ଭାରତର ଆର୍ଥିକ ରାଜଧାନୀରେ ପାଖାପାଖି ୪ ଦିନ ଧରି ଚାଲିଥିଲା।

ଆତଙ୍କର ସେହି ୪ ଦିନ

୨୬ ନଭେମ୍ବର: ଲସ୍କରର ୧୦ ଆତଙ୍କବାଦୀ ସ୍ପୀଡ୍‌ବୋଟ ଜରିଆରେ କରାଚିରୁ ମୁମ୍ବାଇ ପହଞ୍ଚିଥିଲେ। ପ୍ରଥମେ ଏହାକୁ ଏକ ଗ୍ୟାଙ୍ଗ୍‌ ଯୁଦ୍ଧ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ବହୁତ ଜଲ୍‌ଦି ଏହା ସ୍ପଷ୍ଟ ହୋଇ ଯାଇଥିଲା କି, ଏହା ଆତଙ୍କବାଦୀ ଆକ୍ରମଣ ଥିଲା। ୪ ଆତଙ୍କୀ ତାଜ ଏବଂ ୨ ଜଣ ଟ୍ରାଇଡେଣ୍ଟରେ ପହଞ୍ଚିଥିଲେ। ଅନ୍ୟ ୨ ଜଣ ନରୀମନ ହାଉସ୍‌କୁ ପ୍ରବେଶ କରିଥିଲେ ଏବଂ କସାବ ସହ ଆଉ ଜଣେ ଆତଙ୍କୀ CSMT ଉପରେ ଗୁଳିବର୍ଷା ଆରମ୍ଭ କରି ଦେଇଥିଲେ। ସେହି ମୁହୂର୍ତ୍ତରେ ୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ।

କସାବ ଏବଂ ତା’ର ସାଥୀ ଇସ୍‌ମାଇଲ ଖାନ କାମା ହସ୍ପିଟାଲ ଆଡ଼କୁ ବଢ଼ିଥିଲେ। ରାସ୍ତାରେ ସେମାନେ ୬ ପୋଲିସ ଅଧିକାରୀଙ୍କୁ ମାରିଥିଲେ। ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ମୁମ୍ବାଇର ଆଣ୍ଟି ଟେରର ସ୍କ୍ଵାଡ୍‌ର ପ୍ରମୁଖ ହେମନ୍ତ କରକରେ, ବିଜୟ ସାଲସକସ୍‌ ଓ ଅଶୋକ କାମତେ ସାମିଲ ଥିଲେ। ଏହାପରେ ଏହି ଦୁଇଜଣ ପୋଲିସ ଜିପ୍‌ରେ ଫେରାର ହୋଇ ଯାଇଥିଲେ। କିନ୍ତୁ କିଛି ହିଁ ସମୟ ଭିତରେ ପୋଲିସ ସେମାନଙ୍କୁ ରୋକି ନେଇଥିଲା। ଏତିକି ବେଳେ ପୋଲିସ ଗୁଳିରେ ଆତଙ୍କୀ ଇସ୍‌ମାଇଲ ଖାନର ମୃତ୍ୟୁ ଘଟିଥିଲା ଏବଂ କସାବକୁ ଗିରଫ କରି ନିଆଯାଇଥିଲା। ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ କନଷ୍ଟେବଳ ତୁକାରାମ ଓମ୍ବଲେ ମଧ୍ୟ ପ୍ରାଣ ହରାଇଥିଲେ।

୨୭ ନଭେମ୍ବର: ସୈନିକ ଏବଂ ସାମୁଦ୍ରିକ କମାଣ୍ଡୋମାନେ ତାଜ, ଟ୍ରାଇଡେଣ୍ଟ ଓ ନରୀମନ ହାଉସ୍‌କୁ ଘେରି ନେଇଥିଲେ। ଭିତରେ ପ୍ରବେଶ କରିବାକୁ ପ୍ରସ୍ତୁତ ଥିବା ଏନ୍‌ଏସ୍‌ଜି ‘ଅପରେଶନ ବ୍ଲାକ ଟୋର୍ନାଡୋ’ ଆରମ୍ଭ କରି ଦେଇଥିଲା।

୨୮ ନଭେମ୍ବର: କମାଣ୍ଡୋମାନେ ଟ୍ରାଇଡେଣ୍ଟ ସହିତ ନରୀମନ ହାଉସ୍‌ରେ ମଧ୍ୟ ଏହି ଅପରେଶନକୁ ପୂରା କରିଥିଲେ।

୨୯ ନଭେମ୍ବର: ଏନ୍‌ଏସ୍‌ଜି ଆତଙ୍କୀ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଟେଲ ତାଜକୁ ନିଜ କବ୍‌ଜାକୁ ନେଇ ସୁରକ୍ଷିତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.