ଶ୍ରଦ୍ଧା ଓ ଆଫ୍ତାବଙ୍କ ମଧ୍ୟରେ ଥିଲା ସନ୍ଦେହର କାନ୍ଥ! ସବୁଦିନ ପାଇଁ ଛାଡ଼ି ଚାଲିଯିବାକୁ ଚାହୁଁଥିଲେ ଶ୍ରଦ୍ଧା, ହେଲେ ଅରାଜି ଥିବାରୁ ମାରିଦେଲେ ଆଫ୍ତାବ

ଶ୍ରଦ୍ଧା ହତ୍ୟାକାଣ୍ଡରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଆଫ୍ତାବ ଓ ଶ୍ରଦ୍ଧଙ୍କ ମଧ୍ୟରେ ସନ୍ଦେହର କାନ୍ଥ ଛିଡ଼ା ହୋଇଥିଲା, ଯାହାକି ହତ୍ୟାର ମୂଳ କାରଣ ସାଜିଲା। ଉଭୟ ପରସ୍ପର ଉପରେ ଏହାକୁ ନେଇ ନାନା ଅଭିଯୋଗ ଆଣୁଥିଲେ ଏବଂ ଝଗଡ଼ା କରୁଥିଲେ। ପଲିଗ୍ରାଫ୍ ପରେ ଏବେ ନାର୍କୋ ଟେଷ୍ଟରେ ଆଫ୍ତାବ ହତ୍ୟାର ଆହୁରି ରହସ୍ୟ ଓଗାଳିବେ।
ଶ୍ରଦ୍ଧା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ବର୍ତ୍ତମାନ ଦିଲ୍ଲୀ ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପ୍ରମାଣିତ ହେଉଛି। ଆଫ୍ତାବ ପଲିଗ୍ରାଫ୍ରେ କେବଳ ଏତିକି ହିଁ କହିଛନ୍ତି ଯେ ସେ ଶ୍ରଦ୍ଧାଙ୍କୁ ମାରିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ତାଙ୍କୁ ମାରିଦେଲେ। ଏହାକୁ ନେଇ ସେ ଆଦୌ ଅନୁତପ୍ତ ନୁହଁନ୍ତି।
ପୋଲିସ ସୂଚନା ମୁତାବକ, ଆଫ୍ତାବଙ୍କର ଅନେକ ଯୁବତୀଙ୍କ ସହିତ ସମ୍ପର୍କ ଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗୁଥିଲା। ଆଫ୍ତାବ ବି ଶ୍ରଦ୍ଧାଙ୍କ ଉପରେ ଅଭିଯୋଗ ଆଣୁଥିଲେ କି, ତାଙ୍କର ବି ଅନେକ ପୁଅ ସହିତ ସମ୍ବନ୍ଧ ରହିଛି। ଏହି ସନ୍ଦେହକୁ ନେଇ ଉଭୟ ଉଭୟଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ। କିନ୍ତୁ ଆଫ୍ତାବ ଶ୍ରଦ୍ଧାଙ୍କୁ ଛାଡ଼ିବାକୁ ଚାହୁଁ ନ ଥିଲେ।
ଯେତେବେଳେ ଆଫ୍ତାବ ଜାଣିବାକୁ ପାଇଲେ କି, ଶ୍ରଦ୍ଧା ଏବେ ତାଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏବଂ ତାଙ୍କ କଥାଗୁଡ଼ିକୁ ଅନ୍ୟମାନଙ୍କ ପାଖରେ ସେୟାର କରୁଛନ୍ତି, ତ ଆଫ୍ତାବ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଆଇନ ଓ ବ୍ୟବସ୍ଥାର ସ୍ୱତନ୍ତ୍ର ଆୟୁକ୍ତ ସାଗର ପ୍ରୀତ୍ ସିଂ ହୁଡ୍ଡା ମଙ୍ଗଳବାର ଗଣମାଧ୍ୟମକୁ ଦେଇଥିବା ବୟାନରେ ଏହି କଥା କହିଛନ୍ତି।
ସେ କହିଛନ୍ତି କି, ପଲିଗ୍ରାଫ ଟେଷ୍ଟରେ ଆଫ୍ତାବ ମାନିଛନ୍ତି ଯେ ପରସ୍ପର ଉପରେ ସନ୍ଦେହ କାରଣରୁ ସେମାନଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ସମ୍ପର୍କ ଖରାପ ହେବା ପରେ ଉଭୟ ବୁଲିବାକୁ ହିମାଚଳ ମଧ୍ୟ ଯାଇଥିଲେ। ସେଠାରେ କିଛି ଦିନ ରହିବା ପରେ ହିଁ ଶ୍ରଦ୍ଧା, ଆଫ୍ତାବଙ୍କଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ୪ ମେ’ରେ ଆଫ୍ତାବ ମଧ୍ୟ ଏହି ସମ୍ପର୍କକୁ ଭାଙ୍ଗିବା ଉପରେ ନିଜର ସହମତି ପ୍ରକାଶ କରିଥିଲେ। କିନ୍ତୁ ଏହାପରେ ହିଁ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ତାଙ୍କୁ ହତ୍ୟା କରିଥିଲେ।
ସାଗର ପ୍ରୀତ ସିଂ ହୁଡ୍ଡା କହିଛନ୍ତି, ଗୁରୁବାର ଆଫ୍ତାବଙ୍କ ନାର୍କୋ ଟେଷ୍ଟ କରାଯିବ। ପ୍ରଥମେ ଏହି ଟେଷ୍ଟ ୫ ଡିସେମ୍ବରରେ ହେବାର ଥିଲା, କିନ୍ତୁ ପୋଲିସ ଏବେ ଏହି ଘଟଣାର ତଦନ୍ତ ଜଲ୍ଦି ପୂରା କରିଦେବାକୁ ଚାହୁଁଛି।