ଚର୍ମ ଉପରେ ଓମିକ୍ରନ ଲକ୍ଷଣ! ଏହି ଦୁଇଟି ସମସ୍ୟା ଦେଖାଦେଲେ ହୋଇ ଯାଆନ୍ତୁ ଆଲର୍ଟ, କରନ୍ତୁ ନାହିଁ ଅବହେଳା

କରୋନା ଭାଇରସ୍ର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏଥିଯୋଗୁ ଏବେ ଭାରତ ସମେତ ସମଗ୍ର ବିଶ୍ୱରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ଏହାରି ଭିତରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି, ଓମିକ୍ରନର ଏମିତି ଏକ ଲକ୍ଷଣ ରହିଛି, ଯାହା ବିଷୟରେ ଲୋକମାନଙ୍କୁ ସୂଚନା ସୁଦ୍ଧା ନାହିଁ, କିନ୍ତୁ ଏହାକୁ ସହଜରେ ଚିହ୍ନଟ କରାଯାଇ ପାରିବ। ତେଣୁ ଆପଣଙ୍କୁ ସାବଧାନ ରହିବା ଉଚିତ।
ଓମିକ୍ରନ୍ ଚର୍ମ ଉପରେ କେମିତି ପକାଇଥାଏ ପ୍ରଭାବ
ରିପୋର୍ଟ ମୁତାବକ, ଲଗାତାର ବଢ଼ୁଥିବା ଓମିକ୍ରନର ବିପଦ ଭିତରେ ଆପଣଙ୍କୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। କାରଣ, ନୂଆ ଭାରିଆଣ୍ଟ ଯୋଗୁ ଆପଣଙ୍କ ତ୍ୱଚାରେ ଘା’ ହୋଇ ପାରେ କିମ୍ବା ତ୍ୱଚା ନାଲି ପଡ଼ି ଯାଇପାରେ। ଏହାଦ୍ୱାରା ତ୍ୱଚା ବହୁତ କୁଣ୍ଡାଇ ମଧ୍ୟ ହୋଇଥାଏ।
ZOE କୋଭିଡ୍ ସିମ୍ପଟମ୍ ଷ୍ଟଡି ଆପ୍ ଅନୁସାରେ, ଓମିକ୍ରନ୍ ସଂକ୍ରମିତ ହେଲେ ଚର୍ମ ଉପରେ ଦାଗ ପଡ଼ି ଯାଇଥାଏ କିମ୍ବା ଘା’ ହୋଇଯାଏ। ବିଶେଷଜ୍ଞମାନେ ଏହାକୁ ଓମିକ୍ରନର ମୁଖ୍ୟ ଲକ୍ଷଣ ବୋଲି କହୁଛନ୍ତି। ଓମିକ୍ରନ୍ ଦ୍ୱାରା ବ୍ୟକ୍ତି ସଂକ୍ରମିତ ହେଲେ ଚର୍ମ ଉପରେ ଦୁଇ ପ୍ରକାରର ପ୍ରଭାବ ଦେଖା ଦେଇଥାଏ। ପ୍ରଥମତଃ, ଆପଣଙ୍କ ଚର୍ମରେ ହଠାତ୍ ଅନେକଗୁଡ଼ିଏ ଦାଗ ଦେଖାଯିବ। ଏହା କୁଣ୍ଡାଇ ମଧ୍ୟ ହେବ। ଏହି କାରଣରୁ ହାତ ଏବଂ ପାଦରେ ଅଧିକ କୁଣ୍ଡାଇ ହୋଇଥାଏ। ଦ୍ୱିତୀୟରେ ଚର୍ମ ଉପରେ ଘିମିରି ହୋଇଯାଏ। ଏହି ଘିମିରି ଅଧିକରୁ ଅଧିକ କହୁଣୀ ଏବଂ ଆଣ୍ଠୁରେ ଦେଖା ଦେଇଥାଏ।
କିଶୋରମାନଙ୍କଠାରେ ଅଧିକ ଦେଖା ଦେଉଛି ଚର୍ମ ସମସ୍ୟା
ଓମିକ୍ରନରେ ସଂକ୍ରମିତ ହେବା ପରେ ଚର୍ମ ଉପରେ ଦାଗ ଦେଖାଯିବା, କୁଣ୍ଡାଇ ହେବା ଆଦି ସମସ୍ୟା ବୟସ୍କମାନଙ୍କ ଅପେକ୍ଷା କିଶୋରଙ୍କଠାରେ ଅଧିକ ମାତ୍ରାରେ ଦେଖା ଯାଉଛି। ଡାକ୍ତର ଡେଭିଡ ଲୟଡ୍ କହିଛନ୍ତି କି, ଓମିକ୍ରନରେ ସଂକ୍ରମିତ ହୋଇଥିବା ୧୫ ପ୍ରତିଶତ କିଶୋରଙ୍କ ଚର୍ମରେ ଏଭଳି ଦାଗ ଦେଖା ଦେଉଛି। ଏହା ବ୍ୟତୀତ ସେମାନଙ୍କଠାରେ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ ଭୋକ ନ ଲାଗିବାର ସମସ୍ୟା ମଧ୍ୟ ରହୁଛି।
ସୂଚନା ଥାଉ କି, କରୋନା ଭାଇରସ୍ର ନୂଆ ଭାରିଆଣ୍ଟ ଓମିକ୍ରନର ମୁଖ୍ୟ ଲକ୍ଷଣଗୁଡ଼ିକ ହେଉଛି ନାକରୁ ପାଣି ବାହାରିବା, ଗଳା ଚାପି ହେବା ଭଳି ଲାଗିବା, ଛିଙ୍କ ଆସିବା, ପିଠି ପଛପଟେ ଯନ୍ତ୍ରଣା ହେବା, ମାଂସପେଶୀରେ ଯନ୍ତ୍ରଣା ଏବଂ ରାତିରେ ଝାଳ ବାହାରିବା।
ଓମିକ୍ରନ୍ ସମ୍ବନ୍ଧୀୟ ଅଧ୍ୟୟନରୁ ଖୁଲାସା
ଯଦିଓ କିଛି ଅଧ୍ୟୟନରୁ ଏହା ଜଣାପଡିଛି ଯେ ଓମିକ୍ରନ୍ କରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା କମ୍ ବିପଜ୍ଜନକ ଏବଂ ଏଥିରେ ସଂକ୍ରମିତ ହେଲେ, ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ୫୦ରୁ ୭୦ ପ୍ରତିଶତ କମ୍। କିନ୍ତୁ ନୂଆ ଭାରିଆଣ୍ଟ ଡେଲ୍ଟା ଅପେକ୍ଷା ଦ୍ରୁତ ଗତିରେ ମାଡ଼ି ଚାଲିଛି।