ଏହି ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ଭାରତ ରତ୍ନ, ଟ୍ଵିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂଙ୍କୁ ମିଳିବ ଭାରତ ରତ୍ନ । ସେହିପରି ସବୁଜ ବିପ୍ଲବର ଜନକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବ ।

ନୂଆଦିଲ୍ଲୀ:  ଏହି ତିନି ଜଣଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂଙ୍କୁ ମିଳିବ ଭାରତ ରତ୍ନ । ସେହିପରି ସବୁଜ ବିପ୍ଲବର ଜନକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ମିଳିବ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ୧୯୯୧ରୁ ୯୬ ଯାଏ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ରହିଛି । ତାଙ୍କ ସମୟରେ ଜଗତୀକରଣ ଯୋଗୁ ଅର୍ଥନୈତିକ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଥିଲା ।

ଭାରତର ବୈଦେଶିକ ନୀତି, ଭାଷା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଛି। ଜଣେ ରାଷ୍ଟ୍ରନୀତିଜ୍ଞ ଓ ବିଶିଷ୍ଟ ବିଦ୍ବାନ ଭାବେ ସେ ଦେଶର ସେବା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କର ଦେଶ ପାଇଁ ବହୁ ଅବଦାନ ରହିଛି । କୃଷକଙ୍କ ଅଧିକାର ଓ ଉନ୍ନତି ପାଇଁସେ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଜରୁରୀକାଳୀନ ବିରୋଧରେ ସେ ଦୃଢ଼ ସ୍ବର ଉଠାଇଥିଲେ । ସେହିପରି ଏମଏସ ସ୍ୱାମୀନାଥନଙ୍କ ସବୁଜ ବିପ୍ଲବ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ ରହିଛି । ସେ ଅଧିକ ଉତ୍ପାଦନକ୍ଷମ ଧାନ ଓ ଗହମ ପ୍ରଜାତିର ବିକାଶ କରିଥିଲେ ।