କରୋନାର ଆଉ ଏକ ଲହରି କବଳରେ ସାରା ବିଶ୍ୱ! ଆମେରିକାରେ ଖରାପ ହେବାରେ ଲାଗିଛି ସ୍ଥିତି, କିଛି ଦେଶରେ କଡ଼ା ଲକ୍ଡାଉନ
ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀର ପ୍ରକୋପ ପୁଣିଥରେ ବଢ଼ିବାରେ ଲାଗିଛି। ଟିକାକରଣ ସତ୍ତ୍ୱେ ମାମଲାରେ ବୃଦ୍ଧି ଘଟୁଛି। ସ୍ଥିତି ଗତବର୍ଷ ନଭେମ୍ବର ଭଳି ହୋଇ ଯାଇଛି। ସେପଟେ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ କରୋନା ମାମଲା ପୁଣି କାୟା ବିସ୍ତାର କରି ଚାଲିଛି। ଏକ ସମାଚାର ଏଜେନ୍ସି ମୁତାବକ, ୟୁଏସ୍ରେ ଟିକାକରଣ ସତ୍ତ୍ୱେ ସବୁଠାରୁ ସଂକ୍ରାମକ ଡେଲ୍ଟା ଭେରିଏଣ୍ଟ ଦ୍ରୁତ ଗତିରେ ମାଡ଼ି ଚାଲିଛି।
ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ଏଜେନ୍ସି ତରଫରୁ ଜାରି ଆକଳନ ଅନୁସାରେ, ଆମେରିକାର ଅଧିକାଂଶ ସ୍ଥାନରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ଗତବର୍ଷ ନଭେମ୍ବର ଭଳି ଖରାପ ରହିଛି। ଚଳିତ ବର୍ଷ ନଭେମ୍ବରରେ ହିଁ କରୋନା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ରୋଗୀ ଅଧିକ ଆଇସିୟୁ ବେଡ୍ ନେଇଛନ୍ତି। କଲୋରାଡୋରେ ୪୧ ପ୍ରତିଶତ, ମିନେସୋଟାରେ ୩୭ ଏବଂ ମିଶିଗନରେ ୩୪ ପ୍ରତିଶତ ଅଧିକ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସଂକ୍ରମଣ ହାର ମିଶିଗନରେ ସବୁଠାରୁ ଅଧିକ ରହିଛି। ଏହା ସତ୍ତ୍ୱେ ସାର୍ବଜନୀନ ସମାରୋହ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଯଦିଓ ମାସ୍କ ଏବଂ ଭ୍ୟାକ୍ସିନ୍ ଲଗାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି।
କହି ରଖୁଛୁ, ଗତ ଦୁଇ ମାସ ଧରି ଆମେରିକାରେ କୋଭିଡ୍ ମାମଲା ହ୍ରାସ ପାଉଥିଲା। କିନ୍ତୁ ଦୁଇ ସପ୍ତାହରୁ ହଠାତ୍ ଦୈନିକ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ହଠାତ୍ ବଢ଼ି ଯାଇଥିବା ଏହି ମାମଲା ପଛରେ ଡେଲ୍ଟା ଭେରିଏଣ୍ଟକୁ ବଡ଼ କାରଣ ବୋଲି ଦର୍ଶା ଯାଉଛି। ଏହା ବ୍ୟତୀତ ଥଣ୍ଡା ପାଗ ବି ଏହାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ କହିବା ହେଲା, ଦେଶରେ କରୋନାର ଆଉ ଏକ ଲହରି ଆସିଥିବା ଆଶଙ୍କା କରାଯାଉଛି।
ଥଣ୍ଡା ପାଗରେ କରୋନା ମାମଲା ବଢ଼ିଥାଏ। ଏମିତି ସ୍ଥିତିରେ ଏବେ ଟିକାକରଣର ନିରାପତ୍ତା ମଧ୍ୟ ଧୀରେ ଧୀରେ କମି ଯାଉଛି। ଆପଣଙ୍କୁ କହି ରଖୁଛୁ, ଆମେରିକା ଭଳି ଜର୍ମାନୀ, ଡେନମାର୍କ, ଫ୍ରାନ୍ସ, ବେଲଜିୟମ୍, ସ୍ୱିଜରଲ୍ୟାଣ୍ଡ, ନରେଓ୍ଵ ଏବଂ ଇଂଲଣ୍ଡ ଆଦି ଦେଶରେ କରୋନା ମାମଲା ଲଗାତାର ବଢ଼ି ଚାଲିଛି। ଅଷ୍ଟ୍ରିଆରେ କଡ଼ା ଲକ୍ଡାଉନ ଲାଗିଛି। ତେବେ ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି ପରେ ଯାତ୍ରା କଟକଣା ଜାରି କରିଛି ଆମେରିକା। ଜର୍ମାନୀ ଓ ଡେନମାର୍କରେ କରୋନା ମାମଲା ବଢୁ ଥିବାରୁ CDC ଓ ଷ୍ଟେଟ ଡିର୍ପାଟମେଣ୍ଟ ପକ୍ଷରୁ ଯାତ୍ରା କଟକଣା ଜାରି କରାଯାଇଛି। ଏଠାକୁ ଯାତ୍ରା ନ କରିବାକୁ ନିଜ ନାଗରିକଙ୍କୁ ମନା କରିଛି ଆମେରିକା।