ରିଲ୍ସ ପାଲଟିଲା କାଳ, ଛୁଆ ଆଗରେ ନଦୀରେ ଭାସିଗଲା ମା’

ବୁଧବାର ଦିନ ସୋସିଆଲ ମିଡିଆରେ ରିଲ୍ସ ବନାଇବାବେଳେ ଅଘଟଣ । ରିଲ୍ସ ସୁଟିଂ କରୁଥିବା ସମୟରେ ଉତ୍ତରକାଶୀର ଭାଗିରଥୀ ନଦୀରେ ଭାସି ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ । ସାହାଯ୍ୟ ପାଇଁ ପରିବାର ଲୋକଙ୍କ ପାଖରେ କାନ୍ଦିଥିଲେ ନିଖୋଜ ମହିଳା । ଖବର ପାଇବା ମାତ୍ରେ ପୋଲିସ, SDRF ଏବଂ QRTଙ୍କ କର୍ତ୍ତୁପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ବେ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା ।

ସୂଚନାନୁଯାୟୀ ଉତ୍ତରକାଶୀ ଜିଲ୍ଲାର ମଣି କର୍ଣ୍ଣିକା ଘାଟରେ ସୋସିଆଲ ମିଡିଆ ପାଇଁ ରିଲ୍ସ ବନାଉଥିଲେ ୩୫ବର୍ଷୀୟ ମହିଳା ।  ସେ ତାଙ୍କ ଝିଅ ସହ ମିଶି ଭାଗୀରଥୀ ନଦୀ କୂଳକୁ ଯାଇଥିଲେ । ତାଙ୍କ ଝିଅ ରିଲ୍ସ ପାଇଁ ଫୋନରେ ରେକର୍ଡ କରୁଥିଲେ । ରିଲ୍ସ କରିବା ପାଇଁ ପାଣିରେ ପାଦ ରଖିଥିଲେ ମହିଳା ।  ରିଲ୍ସ ବନେଇବା ସମୟରେ ସେ କିନ୍ତୁ ଭାରସାମ୍ୟ ହରାଇଥିଲେ । ପାଣିର ପ୍ରବଳ ସ୍ରୋତରେ ମହିଳା ଜଣକ ନଦୀରେ ଭାସିଯାଇଥିଲେ । ମହିଳା ଜଣକ ତାଙ୍କ ଝିଅକୁ କାନ୍ଦି କାନ୍ଦି ସାହାଯ୍ୟ ମାଗିଥିଲେ । ହେଲେ ପାଣିର ସ୍ରୋତ ତାଙ୍କୁ ଟାଣିନେଇଥିଲା । ଫଳରେ ଝିଅ ତାଙ୍କ ମାଙ୍କ ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ।

ଚିତ୍କାର ଶୁଣିବା ପରେ ପୋଲିସ, SDRF ଏବଂ QRTଙ୍କ କର୍ତ୍ତୁପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ କତ୍ତୁପକ୍ଷ ତୁରନ୍ତ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ଡଙ୍ଗାକୁ ପଠାଯାଇଥିଲା । ଉଦ୍ଧାରକାରୀ ଦଳ ସନ୍ଧାନ କାର୍ଯ୍ୟ ପାଇଁ ଜୋଷିଆଡା ବ୍ୟାରେଜ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ ମହିଳାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା ।

ଏପରି ଅସାବଧାନତା ଯୋଗୁଁ ଆଜିକାଲି ଅନେକ ଜୀବନ ବିପଦ ମୁହଁରେ ପଡୁଛନ୍ତି । ରିଲ୍ ପାଇଁ ଜୀବନକୁ ମଧ୍ୟ ବାଜି ଲଗାଇଦେଉଛନ୍ତି । ବର୍ତ୍ତମାନ ସମୟରେ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ ରିଲ ନିଶାରେ ପାଗଳ । ରିଲର ଭ୍ୟୁ ବଢାଇବା ପାଇଁ କିଏ ପାହଡ ଉପରେ ଯାଇ ରିଲ ବନଉଛନ୍ତି ତ ପୁଣି ଆଉ କେହି ପାଣିରେ ଭିତରେ ତ ପୁଣି ଆଉ କେହି କେହି ରେଲୱେ ଟ୍ରାକରେ ଶୋଇପଡୁଛନ୍ତି । ଯେଉଁଥି ପାଇଁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଆଜିକା ଅପଡେଟ ଯୁଗରେ ଲୋକମାନେ ସୋସିଆଲ ମିଡିଆରେ ବାରମ୍ବାର ଏହି ସମ୍ବନ୍ଧୀୟ ଖବର ଦେଖିବା ପରେ ମଧ୍ୟ ଜୀବନକୁ ନେଇ ସଚେତନ ହେଉନାହାନ୍ତି । ଯାହା ଯୁବପିଢିଙ୍କୁ ବିପଦଜନକ ବାର୍ତ୍ତାର ପ୍ରେରଣା ଯୋଗାଉଛି । ପୋଲିସ ଏହି ମାମଲାକୁ ନେଇ ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ବେ ମଧ୍ୟ ଲୋକ ନିଜ ଜୀବନ ପ୍ରତି ଧ୍ୟାନ ଦେଉନାହାନ୍ତି । ଲୋକଙ୍କ ରିଲସ ବନେଇବାର ଆଗ୍ରହ ଏତେ ଯେ ମୃତ୍ୟୁ ସହ ଖେଳିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି ।

Also Read : ମଝି ଆକାଶରେ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ, ଅପହରଣକାରୀକୁ ବିମାନରେ ଗୁଳିମାରିଲେ ଯାତ୍ରୀ