ବୁଷ୍ଟର ଡୋଜ୍‌ ପାଇଁ ୬୦ ବର୍ଷରୁ ବଡ଼ ବୟସ୍କ ଲୋକଙ୍କୁ ଆବଶ୍ୟକ ଏହି ସାର୍ଟିଫିକେଟ୍‌, ନଚେତ୍‌ ନେଇପାରିବେନି ଟିକା

ପୁଣିଥରେ କାୟା ମେଲାଇଲାଣି କରୋନା। କିଛି ଦିନ ଧରି ସଂକ୍ରମଣ ହାର କମ୍‌ ରହିବା ପରେ ଏବେ ପୁଣିଥରେ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଏଥରକ ଅଧିକ ଘାତକ ହୋଇ ସାମ୍ନାକୁ ଆସିଛି ଏହି ମହାମାରୀ। କରୋନାର ତୃତୀୟ ଲହର ଭାରତରେ ବି ଆରମ୍ଭ ହୋଇ ସାରିଲାଣି। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏଥରକ ଓମିକ୍ରନ୍‌ ରୂପରେ ଅଧିକ ଘାତକ ସାଜି ଆସିଛି କରୋନା। ଏଣୁ ଲୋକମାନେ ଭୟଭୀତ ହୋଇଛନ୍ତି।

ତେବେ କରୋନାର ନୂଆ ଭ୍ୟାରିଏଣ୍ଟକୁ ଦୃଷ୍ଟିରେ ରଖି ସରକାର ତୃତୀୟ ଡୋଜ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ନେଇସାରିଥିବା ବ୍ୟକ୍ତି ଏହି ବୁଷ୍ଟର ଡୋଜ୍‌ ନେଇପାରିବେ। ଏହି ଡୋଜ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିବ। ଯଦି କୌଣସି ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବା ପରେ ବି ସଂକ୍ରମିତ ହେଉଛନ୍ତି ତେବେ ତାଙ୍କଠାରେ କମ୍‌ ଲକ୍ଷଣ ପ୍ରକାଶ ପାଇବ ଓ ଶରୀରର ଅଳ୍ପ କ୍ଷତି ହେବ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବା ଅବସରରେ ବୁଷ୍ଟର ଡୋଜ୍‌ର ଟିକାକରଣ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୫ରୁ ୧୮ ବର୍ଷର ପିଲାଙ୍କୁ ଏବେ ଟିକା ଦିଆଯିବ। ଏଥିପାଇଁ ଟିକା ପ୍ରସ୍ତୁତ ହୋଇସାରିଲାଣି। ଜାନୁଆରୀ ପହିଲାରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ।

ଏଥିସହ ବୟସ୍କଙ୍କ ସମେତ ସମ୍ମୁଖ ଯୋଦ୍ଧାଙ୍କୁ ବି ବୁଷ୍ଟର ଡୋଜ୍‌ ଦେବାକୁ ଘୋଷଣା କରାଯାଇଛି। ପ୍ରକାଶ ଯେ ୬୦ ବର୍ଷରୁ ବଡ଼ ବୟସ୍କ ଲୋକ, ଯେଉଁମାନେ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ।

ଏନେଇ କୋ-ଓ୍ଵିନ୍‌ ସଞ୍ଚାଳନର ପ୍ରମୁଖ ଓ ନ୍ୟାସନାଲ ହେଲଥ ଅଥରିଟିର ସିଇଓ ଡା. ଆରଏସ୍‌ ଶର୍ମା କହିଛନ୍ତି, ୬୦ ବର୍ଷରୁ ବଡ଼ ବୟସ୍କର ଲୋକଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଅନ୍ୟ ଜରୁରୀ କାଗଜପତ୍ର ସହ କୋ-ମୋର୍ବିଡିଟି ସାର୍ଟିଫିକେଟ୍‌ ଦେଖାଇବା ଜରୁରୀ। ସେ କହିଛନ୍ତି, ଅନ୍ୟ ପ୍ରକ୍ରିୟା ପୂର୍ବ ଭଳି ହିଁ ରହିବ। ସେଥିରେ କିଛି ପରିବର୍ତ୍ତନ କରାଯାଇନାହିଁ। ଅଧିକ ସୂଚନା ପାଇଁ ଲୋକେ କୋ-ଓ୍ଵିନ୍‌ ଆପ୍‌ ବ୍ୟବହାର କରିପାରିବେ।

କୋ-ମୋର୍ବିଡିଟି ସାର୍ଟିଫିକେଟ୍‌ ପାଇଁ ଏମାନଙ୍କ ହସ୍ତାକ୍ଷର ଜରୁରୀ:

ଡା. ଆରଏସ୍‌ ଶର୍ମା କହିଛନ୍ତି, କୋ-ମୋର୍ବିଡିଟି ସାର୍ଟିଫିକେଟ୍‌ରେ କୌଣସି ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନରଙ୍କ ଦସ୍ତଖତ ଥିବା ଆବଶ୍ୟକ। ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଏହାର ହାର୍ଡ କପିକୁ ଟିକାକରଣ କେନ୍ଦ୍ରରେ ଦେଖାଇବାକୁ ପଡ଼ିବ। ରେଜିଷ୍ଟ୍ରେସନ କରିବା ପାଇଁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ପେନସନ କାଗଜପତ୍ର ସହିତ ୧୨ଟି କାଗଜପତ୍ର ମଧ୍ୟରୁ କୌଣସି ଗୋଟିଏ ଜରୁରୀ।

ପ୍ରକାଶ ଯେ କୋ-ମୋର୍ବିଡିଟିରେ ୨୨ ପ୍ରକାରର ରୋଗ ଆସୁଛି। ଯଥା- ଡାଇବେଟିସ୍‌, କିଡ୍‌ନୀ ରୋଗ, ହାର୍ଟ ରୋଗ, ଷ୍ଟେମ୍‌ସେଲ ଟ୍ରାନ୍ସପ୍ଲାଣ୍ଟ, କ୍ୟାନସର ଭଳି ସାଂଘାତିକ ରୋଗ। ଏସବୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ ହୋଇଛି। ଏଣୁ ଏମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।