କାଙ୍ଗାଳ ହୋଇ ଯାଇଥିଲା ଏହି ଦେଶ! ସରକାରଙ୍କୁ ଜାରି କରାଇବାକୁ ପଡ଼ିଥିଲା ୧୦ ଲକ୍ଷର ନୋଟ୍‌, ୨୫ ଲକ୍ଷ ବୋଲିଭରରେ ମିଳୁଥିଲା ୧ କପ୍‌ କଫି…

ସାରା ବିଶ୍ୱରେ ବର୍ତ୍ତମାନ ଶ୍ରୀଲଙ୍କାକୁ ନେଇ ଚର୍ଚ୍ଚା। ଏଠାକାର ଋଗ୍‌ଣ ଅର୍ଥନୀତି ଲୋକଙ୍କ ନିଦ ହଜାଇ ଦେଲାଣି। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସବୁଆଡ଼େ ହାହାକାର ସ୍ଥିତି। ଯଦିଓ ଏହା ପୂର୍ବରୁ ଭେନେଜୁଏଲା ଓ ଜିମ୍ବାୱେ ଭଳି ଦେଶ ମଧ୍ୟ ମୁଦ୍ରାସ୍ଫୀତିକୁ ସାମ୍ନା କରି ସାରିଛନ୍ତି। ବୃହତ୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଗତବର୍ଷ ମାର୍ଚ୍ଚରେ ହିଁ ୧୦ ଲକ୍ଷ ବୋଲିଭରର ନୂଆ ନୋଟ୍‌ ଛାପିଥିଲା। ହେଲେ କିଛି ମାସରେ ଦେଶରେ ମୁଦ୍ରାସ୍ଫୀତି ସ୍ଥିତିରେ ସୁଧାର ଆସିଥିଲା, କିନ୍ତୁ ଏବେ ବି ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଠିକ୍‌ ହୋଇନାହିଁ। ଆସନ୍ତୁ ଜାଣିବା, ଦେଶରେ କ’ଣ ରହିଛି ସ୍ଥିତି।

ମୁଦ୍ରା ମୂଲ୍ୟ: ଦେଶର ମୁଦ୍ରା ମୂଲ୍ୟରେ ଗତ କିଛି ମାସରେ ଅନେକ ସୁଧାର ଆସିଛି। ବର୍ତ୍ତମାନ ୪.୪୨ ସୋଭରେନ୍‌ ବୋଲିଭରର ଏକ୍ସଚେଞ୍ଜ ଭାଲ୍ୟୁ ୧ ଆମେରିକୀୟ ଡଲାର ବାରବର ହୋଇଯାଇଛି।

୨୦୨୧, ଅକ୍ଟୋବରରେ ନିଆଯାଇଥିଲା ପଦକ୍ଷେପ: ଭେନେଜୁଏଲା ଉଚ୍ଛଙ୍ଖଳ ମୁଦ୍ରାସ୍ଫୀତିରୁ ବାହାରିବା ପାଇଁ ୨୦୨୧, ଅକ୍ଟୋବର ୧ରେ ନିଜ ମୁଦ୍ରାରୁ ୬ଟି ଜିରୋ ହଟାଇ ଦେଇଥିଲା। ଏହି ପଦକ୍ଷେପ ପରେ ଦେଶରେ ୧ ଲକ୍ଷ ବୋଲିଭରକୁ ବଦଳାଇ ୧ ସୋଭରେନ୍‌ ବୋଲିଭର କରି ଦିଆଯାଇଥିଲା। ଏତିକି ହିଁ ନୁହେଁ, ୧୦୦ ସୋଭରେନ୍‌ ବୋଲିଭରକୁ ଦେଶର ସବୁଠାରୁ ବଡ଼ ନୋଟ୍‌ ରୂପେ ଗଣାଯାଇଥିଲା।

ଜିନିଷର ଦାମ୍‌: ରିପୋର୍ଟ ମୁତାବକ, ବର୍ତ୍ତମାନ ଭେନେଜୁଏଲାରେ ୫୦୦ କିଲୋଗ୍ରାମ ବୋନ୍‌ଲେସ ଚିକେନର ଦାମ୍‌ ୨.୯୪ ଡଲାର ରହିଛି। ସେଠି ୧୨ଟି ଅଣ୍ଡା ପାଇଁ ଆପଣଙ୍କୁ ୨.୯୩ ଡଲାର ଦେବାକୁ ପଡ଼ିବ। ଭାରତରେ ଏତିକି ଅଣ୍ଡା ପାଇଁ ୧.୦୮ ଡଲାର ଖର୍ଚ୍ଚ ହୋଇଥାଏ।

ଏବେ ବି ମହଙ୍ଗା ଟମାଟୋ: ଦେଶରେ ୧ କିଲୋଗ୍ରାମ ଟମାଟୋ ପାଇଁ ୧.୪୦ ଡଲାର ଦେବାକୁ ପଡ଼ୁଛି। ୨୦୧୯ ସହ ତୁଳନା କରାଗଲେ, ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସେତେବେଳେ ୧୦ ଲକ୍ଷ ବୋଲିଭରରେ ଗୋଟିଏ ଟମାଟର ମିଳୁଥିଲା। ଏବେ ୧ ଲିଟର କ୍ଷୀରର ଦାମ୍‌ ୧.୭୧ ଡଲାର ରହିଛି।

କହି ରଖୁଛୁ, ପାଖାପାଖି ଦୁଇ ବର୍ଷ ତଳେ ଭେନେଜୁଏଲାରେ ୧ କିଲୋଗ୍ରାମ ଚିକେନ କିଣିବା ପାଇଁ ଲକ୍ଷାଧିକ ବୋଲିଭର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ୨୦୨୦, ଅକ୍ଟୋବରରେ ୧ ଲକ୍ଷ ବୋଲିଭର ନୋଟ୍‌ର ମୂଲ୍ୟ ୦.୨୩ ଡଲାରକୁ କମିଯାଇଥିଲା। ସେହି ସମୟରେ ୧ ଲକ୍ଷ ବୋଲିଭରରେ ପାଖାପାଖି ୨ କିଲୋଗ୍ରାମ ଆଳୁ ମିଳୁଥିଲା। ସେହିପରି ୧ କପ୍‌ କଫି ପାଇଁ ୨୫ ଲକ୍ଷ ବୋଲିଭର ଖର୍ଚ୍ଚ କରିବାକୁ ପଡ଼ୁଥିଲା।

୨୦୧୯ରେ ମୁଦ୍ରାସ୍ଫୀତି: ୨୦୨୯ରେ ମୁଦ୍ରାସ୍ଫୀତି ଦର ୨,୪୦୦ ପ୍ରତିଶତରେ ପହଞ୍ଚି ଯାଇଥିଲା। ସରକାର ଅକ୍ଟୋବର ୨୦୨୧ରେ ୧ ଲକ୍ଷ ବୋଲିଭରର ନୋଟ୍‌ ଛପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.