ଭୂମିରେ ଜୀବିତ ରହିପାରେ ଏହି ମାରାତ୍ମକ ମାଛ, ସରକାର ଦେଲେ ତୁରନ୍ତ ମାରିବାକୁ ଆଦେଶ

ପୃଥିବୀପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି, ଯାହା ବିଷୟରେ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଖାସ୍‌ କରି ସାମୁଦ୍ରିକ ଜୀବ। ସମୁଦ୍ର ମଧ୍ୟରେ ଏଭଳି ବହୁତ ପ୍ରକାରର ଜଳଚର ଜୀବ ଅଛନ୍ତି, ଯାହା ଜଣେ ସାଧାରଣ ବ୍ୟକ୍ତି ମନରେ କୌତୁହଳ ସୃଷ୍ଟି କରିବା ସ୍ୱାଭାବିକ୍‌ କଥା। କିଏ ଦେଖିବାକୁ ସୁନ୍ଦର ହୋଇଥିବା ବେଳେ ଆଉ କିଏ ସାହାଯ୍ୟକାରୀ ଜୀବ ହୋଇଥାଏ। ତେବେ ବର୍ତ୍ତମାନ ଏଭଳି ଏକ ଜୀବ ବିଷୟରେ ଜାଣିବାକୁ ମିଳିଛି, ଯାହା ପ୍ରକୃତରେ ଏକ ମାଛ ହୋଇଥିବା ବେଳେ ଦେଖିବାକୁ ସାପ ଭଳି।

ଆମେରିକାର ଜର୍ଜିଆରେ ଏଇ ନିକଟରେ ଏହି ମାଛ ବିଷୟରେ ଜାଣିବାକୁ ମିଳିଛି। ଜର୍ଜିଆର ପ୍ରାକୃତିକ ସଂସାଧନ ବିଭାଗର କହିବା ଅନୁସାରେ ଏହା ଏକ ଆକ୍ରମକ ମାଛ। ମଣିଷ ସମେତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଏହି ମାଛ ଅତର୍କିତ ଆକ୍ରମଣ କରିଥାଏ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମାଛମାନେ କେବଳ ପାଣିରେ ବଞ୍ଚିରହିପାରୁଥିବା ବେଳେ ଏହି ମାରାତ୍ମକ ମାଛ ସ୍ଥଳଭାଗରେ ମଧ୍ୟ କିଛି ଦିନ ଆରାମରେ ଜୀବିତ ରହିପାରେ।

ସାପ ଭଳି ମୁଣ୍ଡ ଥିବାରୁ ଏହି ମାଛର ନାଁ ନର୍ଥେନ ସ୍ନେକହେଡ୍‌ ରଖାଯାଇଛି। ଚୀନ୍‌, ଋଷିଆ, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପ୍ରମୁଖ ଦେଶରେ ବହୁଳ ପରିମାଣରେ ଏହି ମାଛ ଦେଖିବାକୁ ମିଳିଥାନ୍ତି।

ସରକାରଙ୍କ ତରଫରୁ ଏହି ମାଛ ପ୍ରତି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ ମାଛକୁ ଯେଉଁଠାରେ ବି ଦେଖିଲେ ପ୍ରଥମେ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍‌ ଫଟୋ ଉଠାଇ ନିକଟସ୍ଥ ବନ ବିଭାଗକୁ ଖବର ଦେବାକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.