ଆମେରିକୀୟ ଔଷଧ କମ୍ପାନୀର ଦାବି; ଓମିକ୍ରନକୁ ମାତ୍ ଦେବ ଏହି ବଟିକା !

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ଆମେରିକା ଔଷଧ କମ୍ପାନୀ ଫାଇଜର ପ୍ରସ୍ତୁତ କରିଛି ପାକ୍ସଲୋଭିଡ ବଟିକା । କମ୍ପାନୀ ଦାବି କରିଛି ଯେ ଏହା ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ। ଲ୍ୟାବ ତଥ୍ୟ ମାଧ୍ୟମରେ ଏହା ପ୍ରମାଣିତ ହୋଇଛି ଯେ ଏହି ଆଣ୍ଟି-ଭାଇରାଲ ଔଷଧ ଓମିକ୍ରନ୍ ରେ ସଂକ୍ରମିତ ହୋଇ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ୯୦% କୁ ହ୍ରାସ ପାଇବ।

ଫାଇଜର ଦ୍ୱାରା ପ୍ରସ୍ତୁତ ଏହି କୋଭିଡ୍ -୧୯ ଆଣ୍ଟି-ଭାଇରାଲ୍ ବଟିକାର ବ୍ରାଣ୍ଡ ନାମ ହେଉଛି ପାକ୍ସଲୋଭିଡ୍, ଯାହା ଦିନକୁ ଦୁଇଥର ଦିଆଯାଇପାରିବ। ଫାଇଜର ଦ୍ୱାରା ଏହି ବଟିକା ସମୁଦାୟ ୧,୨୧୯ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ମୋଟାପଣିଆ ଓ ଗୁରୁତର ରୋଗରେ ପୀଡିତ ଥିଲେ ଏବଂ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଥିଲେ । ପରେ ଏହାକୁ ହଜାରେରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ମଙ୍ଗଳବାର ଏହି ତଥ୍ୟ ପ୍ରକାଶ କରିଛି ଫାଇଜର । ଫାଇଜରର ଏହି ଓରାଲ ଟାବଲେଟ୍ ନେଇଥିବା କୌଣସି ବ୍ୟକ୍ତି ଏଯାଏଁ ପ୍ରାଣ ହରାଇନଥିବା ଏହି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଫାଇଜର ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି, ଆମେ ନିଶ୍ଚିତ ଯେ ପାକ୍ସଲୋଭିଡକୁ ଅନୁମତି ମିଳିବ। ପାକ୍ସଲୋଭିଡ ଓମିକ୍ରନ ଯୋଗୁ ସ୍ୱାସ୍ଥ୍ୟ ସେବା ଉପରେ ସୃଷ୍ଟି ହୋଇଥିବା ଚାପକୁ ହ୍ରାସ କରିବ। ଗତ ମାସରେ ଫାଇଜର ବଟିକାର ପରୀକ୍ଷାମୂଳକ ବ୍ୟବହାର ପାଇଁ ଏଫଡିଏକୁ ଅନୁମୋଦନ ମଗାଯାଇଥିଲା ବୋଲି ସେ କହିଛନ୍ତି। ଲକ୍ଷଣ ଦେଖାଯିବାରୁ ତିନି ଦିନ ମଧ୍ୟରେ ପାକ୍ସଲୋଭିଡ ବଟିକା ଦିଆଗଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଓ ମୃତ୍ୟୁର ଆଶଙ୍କା ୮୯% ହ୍ରାସ ପାଇବ। ସେହିପରି ସଂକ୍ରମଣର ପାଞ୍ଚ ଦିନ ମଧ୍ୟରେ ଯଦି ବଟିକା ଦିଆଯାଏ, ତେବେ ବିପଦ ପ୍ରାୟ ୮୮% ହ୍ରାସ ପାଉଛି। ଟିକା ନେଇଥିବା ୨୨୪୬ ଜଣ ଲୋକଙ୍କ ଉପରେ ବଟିକାର ଟ୍ରାଏଲ କରାଯାଇଥିଲା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଫାଇଜ୍ର ସିଇଓ ଆଲବର୍ଟ ବୋର୍ଲା ।

ଫାଇଜର କହିଛନ୍ତି ଯେ ଆଣ୍ଟି-ଭାଇରସ୍ ଔଷଧ ପାଇଁ ଏହା ଜେନେଭା ଭିତ୍ତିକ ‘ମେଡିସିନ୍ ପେଟେଣ୍ଟ ବଟିକା’ କୁ ଲାଇସେନ୍ସ ଦେବ । ଯାହା ଜେନେରିକ୍ ଔଷଧ ନିର୍ମାତାମାନଙ୍କୁ ଉତ୍ପାଦନ କରିବାକୁ ଅନୁମତି ଦେବ। ଏଥିସହିତ ବିଶ୍ୱର ୯୫ ଟି ଦେଶରେ ଏହି ଔଷଧ ବ୍ୟବହୃତ ହେବ । ତେବେ ବ୍ୟବହାର ପାଇଁ ଅନୁମତି ମିଳିଲେ ଫାଇଜର ଚଳିତ ବର୍ଷ ୧୮୦,୦୦୦ ଚିକିତ୍ସା କୋର୍ସ ସପ୍ଲାଏ କରିପାରିବ। ସେହିପରି ୨୦୨୨ ବେଳକୁ ଏହା ୮୦ ମିଲିୟନକୁ ବୃଦ୍ଧି ପାଇବ ।

Leave A Reply

Your email address will not be published.