୪୫ରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକାକରଣ ପାଇଁ ରଖିବାକୁ ପଡ଼ିବ ଏହି ଜରୁରୀ କାଗଜପତ୍ର
କେନ୍ଦ୍ର ସରକାର ମାର୍ଚ୍ଚ ପହିଲାରୁ ୪୫ରୁ ୬୦ ବର୍ଷ ବୟସର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିବେ, ଯେଉଁମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିବେ। ଏହାଛଡ଼ା ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ। ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ ପାଇଁ ଭୋଟର ତାଲିକାର ପ୍ରୟୋଗ କରାଯିବ। ଏବେ ପ୍ରଶ୍ନ ଉଠୁଛୁ କି, ୪୫ରୁ ୬୦ ବର୍ଷ ବୟସର ଲୋକଙ୍କୁ ଟିକାକରଣ ପାଇଁ କ’ଣ କରିବାକୁ ପଡ଼ିବ।
ମେଡିକାଲ ସାର୍ଟିଫିକେଟ କରିବାକୁ ହେବ ଅପ୍ଲୋଡ
ଏହି ଶ୍ରେଣୀରେ ଆସୁଥିବା ଲୋକଙ୍କୁ ଅନ୍ୟ ଲୋକଙ୍କ ଭଳି ପ୍ରଥମେ କେଭିନ୍ ଆପ୍ରେ ରେଜିଷ୍ଟ୍ରେଶନ କରିବାକୁ ହେବ। ବର୍ତ୍ତମାନ ଏହି ଆପ୍ ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ। ଉପଲବ୍ଧ ହେବା ପରେ ଆଧାର କାର୍ଡ ଜରିଆରେ ରେଜିଷ୍ଟ୍ରେଶନ ହେବ। ଏହାପରେ ଫଟୋ ଆଇଡି ଏବଂ ସ୍ୱାକ୍ଷର ହୋଇଥିବା ମେଡିକାଲ ସାର୍ଟିଫିକେଟ ଅପ୍ଲୋଡ କରିବାକୁ ପଡ଼ିବ। ଏହାପରେ ନିକଟସ୍ଥ କେନ୍ଦ୍ରରେ ଟିକାକରଣ ପାଇଁ ବୁକିଂ କରାଯିବ। ମେଡିକାଲ ସାର୍ଟିଫିକେଟ୍ର ଫର୍ମାଟ ବହୁତ ଜଲ୍ଦି ରାଜ୍ୟମାନଙ୍କୁ ଦିଆଯିବ। ଏହାକୁ ସ୍ଥାନୀୟ ଭାଷାରେ ବି ଉପଲବ୍ଧ କରାଯିବ। ଜେନେରାଲ ଫିଜିଶିଆନଙ୍କ ସ୍ୱାକ୍ଷର ହୋଇଥିବା ଫର୍ମକୁ ଟିକାକରଣ କେନ୍ଦ୍ରରେ ଦେଖାଇବାକୁ ବି ପଡ଼ିପାରେ।
ଗମ୍ଭୀର ରୋଗରେ ପୀଡ଼ିତ ଲୋକଙ୍କୁ ରଖାଯିବ ଏହି ଶ୍ରେଣୀରେ
ଟିକାକରଣ ପାଇଁ କେଉଁ ରୋଗକୁ ଗମ୍ଭୀର ଶ୍ରେଣୀରେ ରଖାଯିବ, ଏହାର ତାଲିକା ଅନ୍ତିମ ରୂପେ ଦିଆଯିବ। ତାଲିକାରେ ହାର୍ଟ, ଫୁସ୍ଫୁସ, କିଡ୍ନୀ ଏବଂ ଲିଭର ସହ ଜଡ଼ିତ ଗମ୍ଭୀର ରୋଗ ସାମିଲ ହୋଇପାରେ। ଏହାସହିତ ଡାଇବେଟିସ୍, କ୍ୟାନସର, ଗମ୍ଭୀର ଅସ୍ଥମା ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗକୁ ମଧ୍ୟ ତାଲିକାରେ ରଖାଯାଇପାରେ। ଅଙ୍ଗ ପ୍ରତ୍ୟାରୋପଣ, ବୋନ୍ ମ୍ୟାରୋ ଏବଂ ଷ୍ଟେଲ୍ ସେଲ୍ ପ୍ରତ୍ୟାରୋପଣ କରିଥିବା ଲୋକଙ୍କୁ ଏହି ଶ୍ରେଣୀରେ ରଖାଯିବା ନେଇ ଅନୁମାନ କରାଯାଉଛି।