ମଣିପୁରର ୮୬ ଅଞ୍ଚଳରେ ପଶିଲା ବନ୍ୟା ପାଣି, ୪ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାକୃତିକ ବିନାଶ

ବାତ୍ୟା ‘ରେମାଲ୍‌’ ଯୋଗୁ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ରାଜ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ମଣିପୁର, ମିଜୋରାମ୍‌, ନାଗାଲାଣ୍ଡ, ଆସାମ ଓ ମେଘାଳୟରେ ବିନାଶ ଭଳି ଦୃଶ୍ୟ ରହିଛି । ମଣିପୁରର ଇମ୍ଫାଲ୍‌ ଘାଟିରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଇମ୍ଫାଲ୍‌ ନଦୀରେ ଜଳସ୍ତର ବୃଦ୍ଧି ହେତୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଶହ ଶହ ଘରେ ପାଣି ପଶିଯାଇଛି । ଏଭଳି ସ୍ଥିତିରେ ଅଞ୍ଚଳବାସୀ କମ୍ୟୁନିଟି ହଲ୍‌ରେ ଆଶ୍ରୟ ନେଇଛନ୍ତି ।

ଏହିପରି ନମ୍ବୁଲ ନଦୀ ଫୁଲିବା ହେତୁ ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲାର ଖୁମାନ ଲମ୍ପକ୍‌, ନଗରମ୍‌, ସାଗୋଲବନ୍ଦ, ଉରିପୋକ୍‌, କେସାମ୍‌ଥୋଙ୍ଗ୍‌ ଓ ପାଓନା ଅଞ୍ଚଳ ସମେତ ପାଖାପାଖି ୮୬ଟି ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ରହିଛି । ଲଗାତାର ବର୍ଷା ହେତୁ ଇମ୍ଫାଲ ପୂର୍ବ ଜିଲ୍ଲାର କେରାଙ୍ଗ୍‌, ଖାବାମ୍‌ ଓ ଲାରିୟେଙ୍ଗ୍‌ବାମ ଲେଇକାଇ ଅଞ୍ଚଳ ନିକଟସ୍ଥ ଇମ୍ଫାଲ୍‌ ନଦୀର ବନ୍ଧ ଭାଙ୍ଗିଯାଇଛି । ଫଳରେ ଆଖାପାଖ ଅନେକ ଅଞ୍ଚଳରେ ବନ୍ୟା ପାଣି ପଶି ଲୋକମାନେ ଜଳବନ୍ଦୀ ଘେରରେ ରହିଛନ୍ତି ।

ଅଧିକାରୀଙ୍କ ମୁତାବକ, ଉଦ୍ଧାର ଅଭିଯାନର ନେତୃତ୍ୱ ନେବା ପାଇଁ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍‌ ରାତି ପ୍ରାୟ ୧୦ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଇମ୍ଫାଲ୍‌ରେ ପହଞ୍ଚିଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ କହିଛନ୍ତି, ଅନେକ ଅଞ୍ଚଳରେ ନଦୀ ବନ୍ଧ ଭାଙ୍ଗିଯିବାରୁ ସାଧାରଣ ନାଗରିକ ଏବଂ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାରୀ ଅଧିକାରୀ, ଏନ୍‌ଡିଆର୍‌ଏଫ୍‌ କର୍ମୀ, ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହ ସମସ୍ତ ସମ୍ପୃକ୍ତ ଅଧିକାରୀ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । ଫସି ରହିଥିବା ଲୋକଙ୍କୁ ଡଙ୍ଗା ଯୋଗେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ସୂଚନା ମୁତାବକ, ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ଇମ୍ଫାଲ୍‌ ଓ ସିଲଚରକୁ ଯୋଡ଼ିବା ପାଇଁ ୩୭ ନମ୍ବର ଜାତୀୟ ରାଜପଥରେ ଥିବା ଇରାଙ୍ଗ୍‌ ବେଲି ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି, ଯଦ୍ଦ୍ଵାରା ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

You might also like