ଭାରତକୁ ପାକିସ୍ତାନର ଫମ୍ପା ଧମକ : ଯୁଦ୍ଧ ଆରମ୍ଭ ଜାଗା ତୁମେ ସ୍ଥିର କର ଆମେ କହିବୁ କେଉଁଠି ଯୁଦ୍ଧ ସରିବ

ପହଲଗାମ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ପ୍ରତିଦିନ ପାକିସ୍ତାନ ପକ୍ଷରୁ କିଛି ନା କିଛି ବିବାଦୀୟ ବୟାନ୍ ଦିଆଯାଉଛି । ଏମିତିକି ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ଗୁଳିଗୋଳା ଛଡ଼ା ଯାଉଛି । ଏଭଳି ସ୍ଥିତିରେ ପାକିସ୍ତାନ ମଧ୍ୟ ଡରିକି ଅଛି । ଯେକୌଣସି ସମୟରେ ଭାରତ ପକ୍ଷରୁ ଯୁଦ୍ଧ ଘୋଷଣା ହୋଇ ପାରେ ବୋଲି ପାକିସ୍ତାନ ତରଫରୁ କୁହାଯାଉଛି ।

ଯଦିଓ ଭାରତ ତରଫରୁ ଏ ନେଇ କୌଣସି ଆଭାସ ମିଳୁ ନାହିଁ ତଥାପି ଭାରତ ସରକାରଙ୍କ ନିରବତା ଏବଂ ସୁରକ୍ଷାକୁ ନେଇ ଘନ ଘନ ବୈଠକ ଚାଲିଛି । ଯାହାକୁ ନେଇ ପାକିସ୍ତାନ ଗୋଲକଧନ୍ଦ ଭିତରେ ପଡ଼ି ଯାଇଛି । ତେଣୁ ନିଜ ମୁହଁ ଟାଣ କରି କିଛି ହେଲେ ବୟାନ୍ ବାଜି କରୁଛି । ଏମିତିରେ ପାକିସ୍ତାନ ସେନାର ମୁଖପାତ୍ର ଜେନେରାଲ ଅହମଦ ସରିଫ ଚୌଧୁରୀ ଭାରତକୁ ଫମ୍ପା ଧମକ ଦେଇଛନ୍ତି । କହିଛନ୍ତି, ଭାରତ ଯଦି ଆମ ଉପରେ ଆକ୍ରମଣ କରେ ତେବେ ଆମେ ତାର ଦୃଢ଼ ଜବାବ ଦେବୁ । ବଲିଉଡ୍ ସିନେମାର ଡାଇଲଗ ଭଳି ସରିଫ କହିଛନ୍ତି କି ଭାରତ ଆକ୍ରମଣ ଆରମ୍ଭର ଜାଗା ଭାରତ ସ୍ଥିର କରୁ ପାକିସ୍ତାନ କହିବ କେଉଁଠି ଯୁଦ୍ଧ ଶେଷ ହେବ । ଅର୍ଥାତ୍ ଭାରତକୁ ପାକିସ୍ତାନ ଯୁଦ୍ଧରେ ହରାଇ ଦେବ ।

ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଇସାକ ଦାରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ସରିଫ ଏକଥା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସମସ୍ତ ସ୍ଥଳ ସେନା, ବାୟୁସେନା ଏବଂ ନୌସେନା ଭାରତକୁ ଠିକଣା ଜବାବ ଦେବାକୁ ପୂରା ତୟାର ଅଛନ୍ତି । ଉଭୟ ପୂର୍ବ ଓ ପଶ୍ଚିମ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।