ଅଯୋଧ୍ୟାରେ ଆଲର୍ଟ! ରାମ ଜନ୍ମଭୂମି ସ୍ଥଳକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ

ଅଯୋଧ୍ୟାରେ ଆଲର୍ଟ ଜାରି। ଗୁରୁବାର ରାମ ଜନ୍ମଭୂମି ସ୍ଥଳକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଏଠାରେ ଏବେ ଆତଙ୍କର ବାତାବରଣ ରହିଛି। ରାମ ଜନ୍ମଭୂମି ଥାନାଧ୍ୟକ୍ଷ ସଞ୍ଜୀବ କୁମାର ସିଂ କହିଛନ୍ତି ଯେ ରାମକୋଟ ଅଞ୍ଚଳରେ ରାମଲଲା ସଦନ ମନ୍ଦିରରେ ରହୁଥିବା ମନୋଜ ନାମକ ବ୍ୟକ୍ତି ପ୍ରଥମେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ସେ କହିଥିଲେ କି, ଆଜି ସକାଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଥିଲା।

ମନୋଜ କହିଥିଲେ ଯେ କଲ୍‌ କରିଥିବା ବ୍ୟକ୍ତି ସକାଳ ୧୦ଟାରେ ରାମ ଜନ୍ମଭୂମିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ଏବଂ ଏହାପରେ ସେ କଲ୍‌ କାଟି ଦେଇଥିଲେ। ଥାନାଧ୍ୟକ୍ଷ କହିଛନ୍ତି, ଏହି ଖବର ମିଳିବା କ୍ଷଣି ସମସ୍ତ ଥାନା ପୋଲିସଙ୍କୁ ଆଲର୍ଟ କରି ଦିଆଯାଇଛି ଏବଂ ରାମ ଜନ୍ମଭୂମି ପରିସରରେ କିଛି ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି।

ପୋଲିସ ସୂଚନା ଅନୁସାରେ, ଏ ନେଇ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏଥି ସହିତ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରହିଛି। ଅଯୋଧ୍ୟା ପୋଲିସ ବ୍ୟତୀତ ଗୁଇନ୍ଦା ବିଭାଗ ମଧ୍ୟ ଧମକ ମିଳିବା ପରେ ଆଲର୍ଟ ମୋଡରେ ରହିଛି। ଏ ଭିତରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରି ଦିଆଯାଇଛି।

ସୂଚନାଥାଉ କି, ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ୨୦୧୯ ନଭେମ୍ବର ୯ ରେ ନିଆଯାଇଥିବା ଐତିହାସିକ ନିର୍ଣ୍ଣୟ ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କରାଯାଉଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶା ରହିଛି। କହି ରଖୁଛୁ, ଏବେ ଦୁଇ ଦିନ ପୂର୍ବେ ନେପାଳରୁ ଦୁଇ ଶାଳଗ୍ରାମ ପଥର ଅଯୋଧ୍ୟାରେ ପହଞ୍ଚିଛି।

ସେପଟେ ମୁମ୍ବାଇରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି। ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି।

ସୂଚନା ମୁତାବକ, ଏନ୍‌ଆଇଏର ଇମେଲ ଆଇଡିରେ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା, ଯେଉଁଥିରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ନେଇ ଧମକ ଦିଆଯାଇଛି। ଇମେଲ କରିଥିବା ସନ୍ଦିଗ୍ଧ ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି।

ଧମକପୂର୍ଣ୍ଣ ଇମେଲ ବିଷୟରେ ସୂଚନା ମିଳିବା କ୍ଷଣି ମୁମ୍ବାଇ ପୋଲିସକୁ ଏ ନେଇ ଅବଗତ କରାଯାଇଥିଲା। ବର୍ତ୍ତମାନ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାର ଯାଞ୍ଚ କରୁଛନ୍ତି। ଧମକପୂର୍ଣ୍ଣ ଇମେଲ କେଉଁ ଠାରୁ ଆସିଛି, ତାହାର ପତ୍ତା ଲଗାଇବାରେ ଲାଗିଛି ପୋଲିସ। ଦେଶର ଅଲଗା ଅଲଗା ସହରରେ ଆଲର୍ଟ ଜାରି କରାଯାଇଛି। ସୂଚନାଥାଉ କି, ଏହା ପୂର୍ବରୁ ଜନୁୟାରୀରେ ମଧ୍ୟ ମୁମ୍ବାଇରେ ଆତଙ୍କୀ ଆକ୍ରମଣର ଧମକ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.