ନୀତା ଭାଉଜ ଏବଂ ମୁକେଶ ଭାଇ ଏହା କେବଳ ଟ୍ରେଲର, ‘ସବୁକିଛି ପ୍ରସ୍ତୁତ ସରିଛି, ସାବଧାନରେ ରହିଥିବେ’

ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ଘର ବାହାରେ ସନ୍ଦିଗ୍ଧ ଗାଡିରେ ବିସ୍ଫୋରକ ମିଳିବା ପରେ ସାରା ଦେଶରେ ଚାଞ୍ଚଲ୍ଯ ଖେଳିଯାଇଛି। ରିଲାଏନ୍ସ ମାଲିକ ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ଗୋଟିଏ ସ୍କର୍ପିଓକୁ ଜବତ କରାଯାଇଛି । ଉକ୍ତ ଗାଡିରେ ପ୍ରାୟ ୨୦ଟି ଜିଲେଟିନ୍ ରଡ୍ ଥିଲା । କେବଳ ଗାଡ଼ି ସହିତ ବିସ୍ଫୋରକ ନୁହେଁ ବରଂ ଗାଡିରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଛି। ଏହାପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ ହଜିଯାଇଛି । ଗାଡି ଜବତ ହେବାପରେ ମୁମ୍ବାଇ ପୋଲିସର ବୋମା ସ୍କ୍ବାଡ୍ ତୁରନ୍ତ ଆଣ୍ଟିଲିଆ ନିକଟରେ ପହଞ୍ଚିବା ସହ କ୍ରାଇମ୍ ବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ଚିଠିରେ ଲେଖାଯାଇଛି ‘ ନୀତା ଭାଉଜ ଏବଂ ମୁକେଶ ଭାଇଙ୍କ ପରିବାର ପାଇଁ ଏହା ଏକମାତ୍ର ଝଲକ। ଆଗାମୀ ଥର ଏହି ଜିନିଷ ସବୁ ପୂରଣ ହୋଇ ଆସିବ। ତୁମ ସଂପୂର୍ଣ୍ଣ ପରିବାରକୁ ଉଡାଇବାକୁ ସବୁ ପ୍ରସ୍ତୁତି ସରିଛି। ସମ୍ଭାଳିକି ରହିଥିବେ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି । ଏନେଇ ମୁମ୍ବାଇ ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ୨୮୬, ୪୬୫, ୪୭୩, ୫୦୬ଖ, ୧୨୦ଖ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏହାସହ ଆତଙ୍କବାଦୀଙ୍କ ହାତ ରହିଛି ନା ନାହିଁ ସେଦିଗରୁ ମଧ୍ୟ ତଦନ୍ତ ହେଉଛି ।