ଉତ୍ତରପ୍ରଦେଶ ରାମପୁରରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: ୩ ମୃତ, ୫୦ରୁ ଅଧିକ ଗୁରୁତର

ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ପ୍ରାଇଭେଟ ବସ୍ରେ ଥିବା ଲୋକ ହରିଦ୍ୱାରରୁ ଫେରୁଥିବା ବେଳେ ରୁଟ୍ ଡାଇଭର୍ସନ ସମୟରେ ଏକ ବସ୍ ଭୁଲ୍ ଦିଗରେ ଚାଲିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଗୁରୁ ପୂର୍ଣ୍ଣିମା ଥିବାରୁ ୬୦ରୁ ଅଧିକ ଯାତ୍ରୀ ଏକ ଘରୋଇ ବସରେ ହରିଦ୍ୱାର ସ୍ଥିତ ଶାନ୍ତିକୁଞ୍ଜ ଯାଇଥିଲେ । ସେଠାରୁ ସେମାନେ ଘରକୁ ଫେରୁଥିବା ସମୟରେ ସୀତାପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ମିଲକନଗର ଥାନା ଅଞ୍ଚଳରେ ଉଭୟ ଗାଡ଼ି ଅତିକ୍ରମ କରୁଥିବା ବେଳେ ପରସ୍ପର ସହିତ ଧକ୍କା ହୋଇଥିଲା । ଉଭୟ ବସରେ ଶହେରୁ ଅଧିକ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୫୦ରୁ ଅଧକ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି ।
ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ବସ୍ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁଇଟି ଯାକ ବସ୍ ଧକ୍କା ହେବା ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କିଛି ସମୟ ପରେ ରାସ୍ତାରୁ ବସକୁ ହଟାଇବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।