ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା: ୧୦ରୁ ଅଧିକ ଲୋକ ଫସିଥିବା ସନ୍ଦେହ, ଚାଲିଛି ଉଦ୍ଧାର କାର୍ଯ୍ୟ

ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଅଘଟଣ ଘଟିଛି ।  ଏକ ନିର୍ମାଣଧୀନ କୋଠାରେ କିଛି ଖନନ କାର୍ଯ୍ୟ ଚାଲିଥିବାବେଳେ ଏହାର ନିକଟରେ ଥିବା ଆଉ ଏକ  ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି ।  କୋଠା ଭୁଶୁଡିବା ପରେ ଚାଲିଛି ଉଦ୍ଧାର କାର୍ଯ୍ୟ ।  ଭାରତୀୟ ସେନା ଓ ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।  ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ପୋତି ହୋଇ ରହିଥିବା ସୂଚନା ମିଳିଛି ।

 

ଜଣେ ଅଧିକାରୀଙ୍କ କହିବା ଅନୁସାରେ ଭାଙ୍ଗି ଯାଇଥିବା କୋଠାର ସମସ୍ତ ତିନି ମହଲାରେ ଏକ ଜିମ ଚାଲିଥିଲା ।  ତେଣୁ ଏହି କୋଠା ଭୁଶୁଡ଼ି ପଡ଼ିଥିବାରୁ ଏହା ତଳେ  ୧୦ରୁ ଅଧିକ  ଲୋକ ଫସି ଥାଇପାରନ୍ତି। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ, ପୋଲିସ ଓ ଅଗ୍ନିଶମ ବାହିନୀ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ । ବର୍ତ୍ତମାନ ସେଠାରେ କୋଠାର ଭଗ୍ନାଂଶକୁ ଆଡ଼େଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଦି କେହି ଫସିଥିବା ବ୍ୟକ୍ତି ଉଦ୍ଧାର ହୁଅନ୍ତି, ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ସେଠାରେ ଡାକ୍ତରୀ ଟିମଙ୍କୁ ମଧ୍ୟ ଉପସ୍ଥିତ ରଖାଯାଇଛି  ।

 

ମିଳିଥିବା ସୂଚନା ଅନୁଯାୟୀ ଅନ୍ୟ ଏକ କୋଠାର ବେସମେଣ୍ଟ କାମ ଚାଲିଥିଲା ।  ବେସମେଣ୍ଟ ପାଇଁ ଖନନ କାର୍ଯ୍ୟ କରାଯାଇଛି  ।  ଏହି ଖନନ ପାଇଁ ଏହି କୋଠାର ମୂଳଦୁଆ ଦୋହଲି ଉଠିଥିଲା ।  ଯାହାପାଇଁ କୋଠା ଭୁଶୁଡି ପଡ଼ିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇ ମୋହାଲି ବିଧାୟକ କୁଲୱନ୍ତ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହିତ ପୋଲିସ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ମଧ୍ୟ ଚାଲିଛି। ଜେସିବି ମେସିନ୍ ସାହାଯ୍ୟରେ ଘଟଣାସ୍ଥଳରୁ ଆବର୍ଜନା ହଟାଯାଉଛି ।