ପୁଣି ବୋରୱେଲ ଅଘଟଣ । ରାଜସ୍ଥାନ କୋଟପୁତଲି ଅଞ୍ଚଳରେ ୭୦୦ ଫୁଟ ବୋରୱେଲ ଗାତ ଭିତରକୁ ଖସି ପଡ଼ିଛି ୩ ବର୍ଷର ଶିଶୁ କନ୍ୟା । ଭଉଣୀ ସହ ଖେଳୁଥିବା ସମୟରେ ଗୋଡ଼ ଖସି ଶିଶୁକନ୍ୟା ଜଣକ ବୋରୱଲେରେ ପଡ଼ିଯାଇଥିଲା । ୧୫୦ ଫୁଟ ଗଭୀରରେ ଫସି ରହିଛି ଶିଶୁ କନ୍ୟା । ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ଏସଡିଆରଏଫ, ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ରେସକ୍ୟୁ ଅପରେସନ ଚାଲିଛି ।
ଶିଶୁକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି । ବୋରୱେଲରେ କ୍ୟାମେରା ଖଞ୍ଚା ଯାଇ ଶିଶୁର ଗତିବିଧି ଉପରେ ନଜର ରଖାଯାଇଛି । ଶିଶୁଟି ହାତ ହଲେଇ କାନ୍ଦୁଥିବାର କ୍ୟାମେରାରେ ରେକର୍ଡ ହୋଇଛି । କିନ୍ତୁ ପିଲାଟିର ବେକ ତଳକୁ ମାଟି ଜମିଥିବାରୁ ଶରୀର ହଲଚଲ ହେଉନାହିଁ ।
ତେବେ ବୋରୱେଲ ନିକଟରେ ୧୫୦ ଫୁଟ ଖୋଳିବା ସମ୍ଭବ ନୁହେଁ । ଏଥିପାଇଁ ବହୁତ ସମୟ ଲାଗିବ । ତେଣୁ ପିଲାକୁ ହୁକ୍ ସହାୟତାରେ ଟାଣିବାକୁ ପ୍ରସ୍ତୁତି ଚାଲିଛି । ଜିଲ୍ଲା ପ୍ରଶାସନ ଶିଶୁ କନ୍ୟାର କପଡାରେ ହୁକ୍ ଲଗାଇ ଉପରକୁ ଟାଣିବା ପାଇଁ ବାପା ମା ଏବଂ ଜେଜେଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି । ଏହି ପ୍ରକ୍ରିୟାରେ ଆଘାତ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଉପରେ କୌଣସି ଦୋଷ ନ ଆସିବା ପାଇଁ ଏମିତି କରିଛି ।
ବୋରୱେଲରେ ପଡିଥିବା ଶିଶୁକନ୍ୟାଙ୍କ ବାପା ଘର ବାହାରେ ଏହାକୁ ଖୋଳିଥିଲେ । ୭୦୦ ଫୁଟ ପର୍ଯ୍ୟନ୍ତ ଖୋଳିବା ପରେ ପାଣି ପଡିନଥିବାରୁ ନ ପୋତି ସେମିତି ଛାଡିଦେଇଥିଲେ । ତେବେ ସୋମବାର ଦିନ ୨.୩୦ ପାଖାପାଖି ଦୁଇ ଝିଅ ଖେଳୁଥିବା ବେଳେ୩ ବର୍ଷୀୟ ଚେତନା ବୋରୱେଲରେ ପଡିଯାଇଥିଲା ।
ତେବେ ୧୫ ଦିନ ର୍ବୂରରୁ ରାଜସ୍ଥାନ ଦଉସାରେ ଆର୍ଯ୍ୟନ ବୋରୱେଲରେ ପଡି ପ୍ରାଣ ହରାଇବା ପରେ ରାଜ୍ୟ ସରକାର ବୋରୱେଲ ବନ୍ଦ କରିବାକୁ ଆଡଭାଇଜାରି ଜାରି କରିଥିଲେ । ଏହାସତ୍ତ୍ବେ ମଧ୍ୟ ବୋରୱେଲ ଖୋଲା ଥିଲା ।