ଗ୍ଵାଲିୟର ଚିଡ଼ିଆଖାନାରେ ବଢ଼ିଲା ବାଘ ସଂଖ୍ୟା, ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ‘ଦୁର୍ଗା’
ମଧ୍ୟପ୍ରଦେଶର ଗ୍ଵାଲିୟର ଚିଡ଼ିଆଖାନାରୁ ଆସିଲା ଗୁଡ୍ ନ୍ୟୁଜ୍ । ଏଠାରେ ଏକ ବାଘୁଣୀ ୩ ଶାବକ ଜନ୍ମ ଦେଇଛି । ସେଥିରୁ ଗୋଟିଏ ଶାବକ ଧଳା ରଙ୍ଗର ରହିଛି । ଶାବକଟି ବହୁତ ଆକର୍ଷଣୀୟ ଦେଖାଯାଉଛି । ସେପଟେ ଏବେ ୩ ଶାବକଙ୍କ ଜନ୍ମ ପରେ ବାଘ ସଂଖ୍ୟା ବଢ଼ିଯାଇଛି । ମା’ ବାଘୁଣୀ ଓ ଶାବକଙ୍କୁ ଅଲଗା କରି ରଖାଯାଇଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ନିୟମ ଅନୁସାରେ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗା ନାମ୍ନୀ ବାଘୁଣୀ ଶୁକ୍ରବାର ରାତିରେ ଗ୍ଵାଲିୟରସ୍ଥିତ ଗାନ୍ଧୀ ପ୍ରାଣୀ ଉଦ୍ୟାନରେ ୩ ଶାବକଙ୍କୁ ଜନ୍ମ ଦେଇଛି । ଗତବର୍ଷ ମଧ୍ୟ ବାଘୁଣୀ ୨ ଶାବକଙ୍କୁ ଜନ୍ମ ଦେଇଥିଲା । ଚିଡ଼ିଆଖାନା କର୍ତ୍ତୃପକ୍ଷ ଉପେନ୍ଦ୍ର ଯାଦବ କହିଛନ୍ତି, ୩ ଶାବକଙ୍କ ଜନ୍ମ ପରେ ଗ୍ଵାଲିୟର ନଗର ନିଗମ ଦ୍ୱାରା ପରିଚାଳିତ ଚିଡ଼ିଆଖାନାରେ ବାଘ ସଂଖ୍ୟା ବଢ଼ି ୯ ହୋଇଛି । ଏଠାରେ ୬ ବୟସ୍କ ବାଘ ମଧ୍ୟରୁ ୪ଟି ନର ଏବଂ ୨ଟି ମାଈ ଅଛନ୍ତି ।
ଏହାପୂର୍ବରୁ ଚିଡ଼ିଆଖାନାର ବାଘୁଣୀ ‘ମୀରା’ ମଧ୍ୟ ୩ ଶାବକଙ୍କୁ ଜନ୍ମ ଦେଇଥିଲା । ୪୫ ଦିନ ଯାଏ ମା’ ଓ ଛୁଆଙ୍କୁ ଆଇଶୋଲେସନରେ ରଖାଯାଇଥିଲା । ବାଘ ‘ଲଭ୍’ ଓ ବାଘୁଣୀ ‘ମୀରା’ର ମିଳନରୁ ୩ ଶାବକ ଜନ୍ମ ହୋଇଥିଲେ । ଏହି ସମୟରେ ଚିଡ଼ିଆଖାନାରେ ଖୁସିର ଲହରୀ ଖେଳିଯାଇଥିଲା ।
ମୀରା ଔରସରୁ ଜନ୍ମିତ ଶାବକମାନଙ୍କ ମଧ୍ୟରୁ ୨ଟି ଶାବକ ହଳଦିଆ ଏବଂ ଗୋଟିଏ ଧଳା ରଙ୍ଗର ଥିଲା । ସେମାନଙ୍କୁ ହାଲୁକା ଖାଦ୍ୟ ଦିଆଯାଉଥିଲା, ଯେଉଁଥିରେ ଚିକେନ୍ ସୁପ୍, କ୍ଷୀର ଓ ସିଝା ଅଣ୍ଡା ଆଦି ଅନ୍ତର୍ଭୁକ୍ତ ଥିଲା । କହି ରଖୁଛୁ ଯେ ଲଭ୍ ଓ ମୀରାର ମିଳନରୁ ତୃତୀୟ ଥର ପାଇଁ ଶାବକ ଜନ୍ମ ହୋଇଥିଲେ । ବାଘୁଣୀ ମୀରା ମଧ୍ୟ ୨୦୧୩ରେ ଗାନ୍ଧୀ ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିଲା ।