ବିଶ୍ୱ ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦରେ ବ୍ୟଭିଚାର । ଲଡୁରେ ମିଶୁଛି ନିମ୍ନ ମାନର ସାମଗ୍ରୀ ଓ ପଶୁ ଚର୍ବି । ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ଏହା ଏକ କୁଠାରଘାତ । ତେବେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁଙ୍କ ଏଭଳି ଅବିଶ୍ୱସନୀୟ ବୟାନ ପରେ ପ୍ରସାଦ ଉପରେ ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟ ଅନୁଯାୟୀ, ପ୍ରସାଦ ତିଆରିରେ ବ୍ୟବହୃତ ହୋଇଥିବା ଘିଅରେ ପଶୁ ଚର୍ବି ଥିବା ନିଶ୍ଚିତ କରାଯାଇଛି । ଟିଡିପି ଏହା ଦାବି କରିଛି ।
ଲଡୁ ତିଆରିରେ ଖରାପ ଉପାଦାନ ଏବଂ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଟିଡିପି ଦାବି କରିଛି ଯେ ଗୁଜୁରାଟର ଏକ ପଶୁପାଳନ ଲାବୋରେଟୋରୀ ଦ୍ୱାରା ବ୍ୟଭିଚାର ନିଶ୍ଚିତ ହୋଇଛି । ତିରୁପତିଙ୍କ ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡୁ ପ୍ରସାଦରେ ଗୋମାଂସ, ମାଛ ତେଲ ଏବଂ ଖଜୁରୀ ତେଲ ବ୍ୟବହାର କରାଯାଉଥିବା ଟିଡିପି ଦାବି କରିଛି । ଟିଡିପି ମୁଖପାତ୍ର ଅନମ ଭେଙ୍କଟ ରମଣ ରେଡ୍ଡୀ ସାମ୍ବାଦିକମାନଙ୍କୁ ନିର୍ଦ୍ଦିଷ୍ଟ ଲାବୋରେଟୋରୀର ରିପୋର୍ଟ ଦେଖାଇଥିଲେ, ଯାହା ଦର୍ଶାଇଥିଲା ଯେ ପ୍ରସାଦ ପାଇଁ ବ୍ୟବହୃତ ଘିଅରେ “ଗୋମାଂସ” ର ଉପସ୍ଥିତି ନିଶ୍ଚିତ କରିଥିଲା ।
ତେବେ ଏହି ଲାବୋରେଟୋରୀର ରିପୋର୍ଟ ଉପରେ କୌଣସି ସରକାରୀ ନିଶ୍ଚିତତା ଦିଆଯାଇନାହିଁ । ନିର୍ଦ୍ଦିଷ୍ଟ ଲାବୋରେଟୋରୀ ରିପୋର୍ଟରେ ଘୁଷୁରୀ ଚର୍ବି ଏବଂ ମାଛ ତେଲର ଉପସ୍ଥିତି ମଧ୍ୟ ଦାବି କରାଯାଇଛି । ହିନ୍ଦୁମାନଙ୍କ ସହିତ ଏଭଳି ବିଶ୍ବାସଘାତକତାକୁ ଭଗବାନ କ୍ଷମା କରିବେ ନାହିଁ । ଲଡୁରେ ପଶୁ ଚର୍ବିର ବ୍ୟବହାର ହେଉଛି ଏହା ସ୍ପଷ୍ଟ ହେବା ପରେ ତିରୁମାଲା ଭେଙ୍କଟେଶ୍ୱର ସ୍ୱାମୀଙ୍କୁ ପୂଜା କରୁଥିବା ହିନ୍ଦୁମାନଙ୍କ ଭକ୍ତି ଏବଂ ବିଶ୍ୱାସ ଉପରେ ଏହା ଏକ ଗଭୀର କୁଠାରଘାତ ।
ଅନ୍ୟପଟେ ରାଜନେତା ରାଜା ସିଂ କହିଛନ୍ତି ଯେ, ପବିତ୍ର ତିରୁପତି ଲଡୁ ପ୍ରସାଦରେ ଗୋମାଂସ ଚର୍ବି ଏବଂ ମାଛ ତେଲର ବ୍ୟବହାର ଆମର ସମୃଦ୍ଧ ସାଂସ୍କୃତିକ ତଥା ଧାର୍ମିକ ଏତିହ୍ୟ ଉପରେ ସିଧାସଳଖ ଆକ୍ରମଣ । ଯାହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହି ଗୁରୁତର ଅପରାଧ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି । ତିରୁପତିର ଶ୍ରୀ ଭେଙ୍କଟଶ୍ଵର ସ୍ୱାମୀଙ୍କ ନିକଟରେ ଏହି ତିରୁପତି ଲଡୁ ଚଢାଯାଇଥାଏ ।
ଯାହାକୁ ସବୁଠାରୁ ଶୁଦ୍ଧ ଏବଂ ପବିତ୍ର ବୋଲି ମନାଯାଏ ଏବଂ ଏହି ଲଡୁ ଶୁଦ୍ଧ ଦେଶୀ ଘିଅରେ ନିର୍ମିତ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ । ତେବେ କହିବାକୁ ଚାହିଁବୁ, ଭଗବାନଙ୍କ ପ୍ରସାଦକୁ ସବୁଠାରୁ ପବିତ୍ର ଏବଂ ଶୁଦ୍ଧ ଯଦି ଭଗବାନଙ୍କ ପ୍ରାସଦରେ ଏଭଳି ବ୍ୟଭିଚାର ହେବ ତେବେ ସାଧାରଣ ଲୋକେ କାହା ଉପରେ ବିଶ୍ୱାସ କରିବେ! ଏଭଳି ଘଟଣା ଅତ୍ୟନ୍ତ ଲଜ୍ୟାଜନକ ଏବଂ ଏଭଳି ନିଚ୍ଚ କାର୍ଯ୍ୟ କରୁଥିବା ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ନିହାତି ଜରୁରୀ ।