‘ତିରୁପତି ଲଡୁ ମାମଲାରେ କାହିଁକି ଗଣମାଧ୍ୟମ ଗଲ, ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖ’: ସୁପ୍ରିମ୍‌କୋର୍ଟ

ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜଷ୍ଟିସ୍‌ ବି.ଆର. ଗଭଇ ଏବଂ ଜଷ୍ଟିସ୍‌ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ କଡ଼ା ଟିପ୍ପଣୀ କରି କହିଛନ୍ତି, ‘ଯେତେବେଳେ ସିଏମ୍‌ ଚନ୍ଦ୍ରବାବୁ ନାଇଡୁ ପ୍ରସାଦରେ ପଶୁ ଚର୍ବିର ଯାଞ୍ଚ ଦାୟିତ୍ୱ ଏସ୍‌ଆଇଟିକୁ ଦେଇଥିଲେ, ସେତେବେଳେ ତାଙ୍କୁ ଗଣମାଧ୍ୟମ ଯିବାର କ’ଣ ଆବଶ୍ୟକତା ଥିଲା? ଅନ୍ତତଃ ପକ୍ଷେ ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖନ୍ତୁ’ ।

ବେଞ୍ଚ କହିଛନ୍ତି ଯେ ‘ଜୁଲାଇରେ ଲ୍ୟାବ ରିପୋର୍ଟ ଆସିଛି, ତାହା ସ୍ପଷ୍ଟ ନାହିଁ । ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ଯାଞ୍ଚ ଆଦେଶ ଦେଇ ସେପ୍ଟେମ୍ବରରେ ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି । ଜଣେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି କିପରି ଏହା କରିପାରିବେ’?

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଓ୍ୱାଇ. ଭି. ସୁବା ରେଡ୍ଡୀ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛନ୍ତି ।

ସୁବ୍ରମଣ୍ୟମ ତାଙ୍କ ଆବେଦନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କରିଥିବା ଅଭିଯୋଗର ତଦନ୍ତ ପାଇଁ ଦାବି କରିଛନ୍ତି । ସେହିପରି ସୁପ୍ରିମକୋର୍ଟଙ୍କର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ସ୍ୱତନ୍ତ୍ର ଯାଞ୍ଚ କମିଟି ଏହି ଅଭିଯୋଗର ତଦନ୍ତ କରିବାକୁ ସୁବା ରେଡ୍ଡୀ ଦାବି କରିଛନ୍ତି । ଏହି ଆବେଦନକୁ ରାଜ୍ୟ ସରକାର ବିରୋଧ କରିଛନ୍ତି ।

କହି ରଖୁଛୁ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଲା ମନ୍ଦିରର ଲଡ଼ୁ ତିଆରିରେ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବର ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଥିଲା ।

ତେବେ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ । ଭଗବାନଙ୍କ ନାମରେ ରାଜନୀତି କରାଯାଉଥିବା ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like