ଲଡୁ ପ୍ରସାଦକୁ ନେଇ ବିବାଦ ମଧ୍ୟରେ ଏବେ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ‘ବ୍ରହ୍ମୋତ୍ସବ’ ପାଇଁ ପ୍ରସ୍ତୁତି ଚଳାଇଛି । ଏହି ୯ ଦିବସୀୟ ଉତ୍ସବ ଅକ୍ଟୋବର ୪ରୁ ୧୨ ପର୍ଯ୍ୟନ୍ତ ଆୟୋଜନ ହେବ । ଏହି ଉତ୍ସବ ସମୟରେ ଦୈନିକ ପାଖାପାଖି ୧ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି ।
ଲଡୁ ବିବାଦ ପରେ ଗତକାଲି ମନ୍ଦିରରେ ସଫେଇ ଅନୁଷ୍ଠାନ ‘କୋଇଲ ଅଲଓ୍ୱାର ତିରୁମଞ୍ଜନମ୍’ ଆୟୋଜନ କରାଯାଇଥିଲା । ଏହି ଅନୁଷ୍ଠାନରେ ସମ୍ପୂର୍ଣ୍ଣ ମନ୍ଦିର, ଭଗବାନଙ୍କ ମୂର୍ତ୍ତି ଏବଂ ପୂଜା ବାସନଗୁଡ଼ିକୁ ସଫା କରାଯାଇଥିଲା ।
ବ୍ରହ୍ମୋତ୍ସବ ସମୟରେ ମନ୍ଦିର ପ୍ରଶାସନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନର ଆଶା ରଖିଛି । ପ୍ରତିଦିନ ପୋଟୁ (ରୋଷେଇ)ରେ ପାଖାପାଖି ୩.୫ ଲକ୍ଷ ଲଡୁ ତିଆରି ହେଉଥିବା ବେଳେ ବ୍ରହ୍ମୋତ୍ସବ ସମୟରେ ଅତି କମ୍ରେ ୮ ଲକ୍ଷ ଲଡୁ ତିଆରି ପାଇଁ ପ୍ରସ୍ତୁତି ଚାଲିଛି । ପ୍ରତ୍ୟେକ ଦିନ ୧ ଲକ୍ଷ ତୀର୍ଥଯାତ୍ରୀ ଆସିବା ନେଇ ପ୍ରଶାସନ ପକ୍ଷରୁ ଆଶା ରଖାଯାଇଛି ।
ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଖାସ୍ ବନ୍ଦୋବସ୍ଥ କରାଯାଉଛି । ଅକ୍ଟୋବର ୪ରୁ ୧୨ ପର୍ଯ୍ୟନ୍ତ ସମସ୍ତ ଭିଆଇପି ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ମନ୍ଦିର ପ୍ରଶାସନ ସହ ଜଡ଼ିତ ଲୋକମାନଙ୍କୁ ଭିଡ଼ ନିୟନ୍ତ୍ରଣର ସ୍ୱତନ୍ତ୍ର ତାମିଲ ଦିଆଯାଉଛି । ଏହା ସହିତ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଉଛି ।
ତିରୁପତି ମନ୍ଦିରକୁ ପ୍ରତିବର୍ଷ ପାଖାପାଖି ୩ କୋଟି ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସନ୍ତି । ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ରୂପେ ଲଡୁ ଦିଆଯାଇଥାଏ । ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ତିରୁମାଲା ତିରୁପତି ଦେବସ୍ଥାନମ୍ କମିଟି ଦ୍ୱାରା ସଞ୍ଚାଳିତ ହୋଇଥାଏ । ଆନ୍ଧ୍ରପ୍ରଦେଶ ସରକାର ପ୍ରତି ଦୁଇ ବର୍ଷରେ ଏହାକୁ ଗଠନ କରନ୍ତି ।