ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ବୃଦ୍ଧ; ସରକାରଙ୍କ ହାତକୁ ଟେକିଦେଲେ ନିଜର ଅଚଳାଚଳ ସମ୍ପତ୍ତି! ଜାଣନ୍ତୁ ମୃତ୍ୟୁ ପୂର୍ବରୁ କ’ଣ କହିଥିଲେ ବୃଦ୍ଧଙ୍କ ପତ୍ନୀ

ଆଜିକାଲି ସୋସିଆଲ ମିଡିଆରେ ହିମାଚଳ ପ୍ରଦେଶର ଜଣେ ବୃଦ୍ଧ ବ୍ୟକ୍ତି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି, ଯିଏକି ନିଜ ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ନିଜର ପାଞ୍ଚ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି। ତାଙ୍କ ସ୍ତ୍ରୀଙ୍କର ଗତ ବର୍ଷ ଦେହାନ୍ତ ହୋଇଥିଲା। ସ୍ତ୍ରୀ ଚାହୁଁଥିଲେ ଯେ ତାଙ୍କ ସମ୍ପତ୍ତି ସରକାରଙ୍କ ହାତକୁ ଯାଉ। ତେବେ ତାଙ୍କରି ଇଚ୍ଛା ଅନୁସାରେ ହିଁ ବୃଦ୍ଧ ବ୍ୟକ୍ତି ଜଣକ ନିଷ୍ପତ୍ତି ନେଇଥିଲେ ଏବଂ ସରକାରଙ୍କୁ ସେହି ସମ୍ପତ୍ତି ଦାନରେ ଦେଇ ଦେଇଥିଲେ। ଚୁକ୍ତିପତ୍ରରେ ସେ ଉଲ୍ଲେଖ କରିଛନ୍ତି କି, ତାଙ୍କ ଘରକୁ ବୃଦ୍ଧାଶ୍ରମ କରି ଦିଆଯାଉ।

ବାସ୍ତବରେ, ଏହି ମାମଲା ହିମାଚଳ ପ୍ରଦେଶର ହାମିରପୁର ଜିଲ୍ଲାର। ଘଟଣାଟି ଏଠାକାର ବାସିନ୍ଦା ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କନୱରଙ୍କ ସହ ଜଡିତ ରହିଛି। ଏକ ରିପୋର୍ଟ ମୁତାବକ, ଡାକ୍ତର ରାଜେନ୍ଦ୍ର କନୱର ହେଉଛନ୍ତି ମୂଳତଃ ନାଦୌନର ଜୋଲସପ୍ପଡ ଗାଁ ସନକରର ବାସିନ୍ଦା। ସେ ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଇ ସାରିଛନ୍ତି। ତାଙ୍କ ସ୍ତ୍ରୀ କୃଷ୍ଣା କନୱର ମଧ୍ୟ ମୃତ୍ୟୁ ପୂର୍ବରୁ ଶିକ୍ଷା ବିଭାଗରୁ ଅବସର ନେଇ ସାରିଥିଲେ। ଗତ ବର୍ଷ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ରିପୋର୍ଟ ମୁତାବକ, ଉଭୟଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି। ତେଣୁ ଦୁଇଜଣ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ନିଜର ସବୁ ସମ୍ପତ୍ତି ସରକାରଙ୍କ ନାମରେ କରି ଦେବେ। ସ୍ତ୍ରୀଙ୍କ ନିଧନ ପରେ ଡାକ୍ତର ରାଜେନ୍ଦ୍ର ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି। ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ସମ୍ପର୍କୀୟଙ୍କ ସହିତ ବସି ଆଲୋଚନା କରିଥିଲେ ଏବଂ ଶେଷରେ ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଇଥିଲେ।

କୁହାଯାଉଛି କି, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପାଞ୍ଚ କୋଟିରୁ ଅଧିକ ହେବ। ଡାକ୍ତର ରାଜେନ୍ଦ୍ର ଚୁକ୍ତିନାମାରେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ସର୍ତ୍ତ ଅନୁଯାୟୀ, ତାଙ୍କ ଘରକୁ ଏକ ବୃଦ୍ଧାଶ୍ରମରେ ପରିଣତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଲୋକମାନଙ୍କୁ ଘରେ ରହିବା ପାଇଁ ଜାଗା ଦିଆଯାଉ ନାହିଁ ଏବଂ ବୃଦ୍ଧାବସ୍ଥାରେ ନାନା ହଇରାଣ, ହରକତ କରାଯାଉଛି, ସେଭଳି ଲୋକଙ୍କୁ ସରକାର ଘରେ ରଖିବାର ବନ୍ଦୋବସ୍ଥ କରନ୍ତୁ। ଡାକ୍ତର ରାଜେନ୍ଦ୍ର କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କ ସହିତ ସର୍ବଦା ଆସକ୍ତି ରଖନ୍ତୁ ଏବଂ ସେମାନଙ୍କୁ ଆଦର, ସମ୍ମାନ କରନ୍ତୁ।