କୃଷି ଆଇନ ପ୍ରତ୍ୟାହାର ଓ ଏମ୍‌ଏସ୍‌ପି ଉପରେ ହେବ କି ସହମତି? ଆଜି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ପୁଣି ଆଲୋଚନା

ନୂଆଦିଲ୍ଲୀ: ଆଜି ଚାଷୀ-ସରକାର ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା । ବୈଠକକୁ ନିର୍ଣ୍ଣାୟକ ଭାବେ ଗ୍ରହଣ କରିଛନ୍ତି ଚାଷୀ । ବୈଠକ ପୂର୍ବରୁ ସରକାରଙ୍କ ଉପରେ ବଢ଼ାଇଛନ୍ତି ଚାପ । ଆଜିର ବୈଠକରେ ୩ କୃଷି ଆଇନ୍‌ ଉଛେଦ ପାଇଁ ଦାବି ରଖିବେ ବୋଲି କହିଛନ୍ତି । ଗତ ୩୦ ତାରିଖରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ବୈଠକ ପାଇଁ ୪ ଟି ପ୍ରମୁଖ ଏଜେଣ୍ଡା ରଖିଥିଲେ ଚାଷୀ ସଂଗଠନ । ଦୁଇଟି ଏଜେଣ୍ଡା ଉପରେ ସହମତି ହୋଇଥିବା ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ।

ତେବେ କୃଷି ଆଇନ୍‌ ଉଛେଦ ଉପରେ ରହିଛି ଚାଷୀଙ୍କ ଫୋକସ୍‌ । ଆଜିର ବୈଠକରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜାନୁଆରୀ ୨୬ରେ ସମାନ୍ତରାଳ ଭାବେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ କରିବେ ବୋଲି ଧମକ ଦେଇଛନ୍ତି । କେବଳ ଦିଲ୍ଲୀ ନୁହେଁ ସବୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ଏଭଳି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଆସନ୍ତା ୬ରେ ଏହାର ରିହାରସାଲ କରିବେ ।

୨୩ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀରେ ସବୁ ରାଜଭବନ ଆଗରେ ଧାରଣା ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏବେ ଠାରୁ ୧୫ ଦିନ ଧରି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଚାଷୀଙ୍କ ଦାବିକୁ ସରକାର ହାଲୁକା ଭାବେ ଗ୍ରହଣ କରୁଛନ୍ତି ବୋଲି ସପ୍ତମ ପର୍ଯ୍ୟାୟ ବୈଠକ ପୂର୍ବରୁ ଅଭିଯୋଗ ଆଣିଛନ୍ତି ଚାଷୀ ନେତା । ୪୦ଦିନରେ ପହ଼ଞ୍ଚିଛି ଚାଷୀଙ୍କ ଆନ୍ଦୋଳନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.