ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ, ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏଥର ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ଯୋଗଦେବେ । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକକୁ ଏଡାଇ ଯିବେ ବୋଲି ଚର୍ଚ୍ଚା ହେଉଛି ।

ଏଜେଣ୍ଡାରେ ରହିଛି କୃଷି, ଭିତ୍ତିଭୂମି, ମାନୁଫେକ୍‌ଚରିଂ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ଏବଂ ସ୍ୱାସ୍ଥ୍ୟ ଓ ପୋଷଣ । ୨୦୧୯ରେ ଅନୁଷ୍ଠିତ ପଞ୍ଚମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନବୀନ ରାଜ୍ୟ ପାଇଁ ସ୍ପେଶାଲା କ୍ୟାଟାଗୋରୀ ମାନ୍ୟତା ଦାବି କରିଥିଲେ । ଦାବି ପୂରଣ ନ ହେବା ଯାଏ ଅନ୍ତରୀଣ ବ୍ୟବସ୍ଥା ଭାବେ ରାଜ୍ୟକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପାଇଁ କହିଥିଲେ ନବୀନ ।

ଏହାସହ ପିଏମ୍‌ କିଷାନରେ ଭୂମିହୀନକୁ ସାମିଲ କରିବା, ଗ୍ରାମାଞ୍ଚଳରେ ବ୍ୟଙ୍କିଂ ସେବା ବୃଦ୍ଧି କରିବା ଓ କୋଇଲା ରୟାଲଟି ବୃଦ୍ଧି ପାଇଁ ଦାବି କରିଥିଲେ । ଏଯାଏ ଅଧିକାଂଶ ଦାବି ପୂରଣ ହୋଇ ନାହିଁ । ଏଥର ପୁଣି ଦାବି ଦୋହରାଇ ପାରନ୍ତି ନବୀନ। ଏଥିସହ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସ୍ୱାମିନାଥନ କମିଶନ ସୁପାରିଶ ଲାଗୁ ପାଇଁ ପୁଣି ଦାବି କରିପାରନ୍ତି ନବୀନ ।

Leave A Reply

Your email address will not be published.