ଆର୍ଯ୍ୟନଙ୍କ ପାଇଁ ଜାମିନଦାର ଅଭିନେତ୍ରୀ ଜୁହି ଚାୱଲା, ଆଜି ମନ୍ନତ ଫେରୁଛନ୍ତି ଜୁନିୟର ଖାନ୍‌

ମୁମ୍ବାଇ: ଆଜି ମନ୍ନତ ଫେରିବେ ଆର୍ଯ୍ୟନ ଖାନ୍‌। ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବେ ଜୁନିୟର କିଙ୍ଗ୍‌ ଖାନ୍‌। ଜେଲ୍‌ରେ ଆର୍ଯ୍ୟନଙ୍କ ବେଲ୍‌ ଅର୍ଡର ପହଞ୍ଚିସାରିଛି। ସକାଳ ୫ଟା ୩୦ରେ ଆର୍ଥର ଜେଲ୍‌ର ବେଲ୍‌ ବକ୍ସ ଖୋଲାଯାଇଛି। ଏକଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଜଣେ ଜାମିନଦାରଙ୍କ ବଦଳରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୪ଟି ସର୍ତ୍ତ ସହ ବେଲ ପ୍ରଦାନ କରିଛନ୍ତି ଉଚ୍ଚନ୍ୟାୟାଳୟ ।ତେବେ ମୁମ୍ବାଇ ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବା ସହ ଯାତ୍ରା ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ।

ଆର୍ଯ୍ୟନଙ୍କ ପାଇଁ ଜାମିନଦାର ଅଛନ୍ତି ଅଭିନେତ୍ରୀ ଜୁହି ଚାୱଲା। ୨୮ଦିନ ପରେ ଘରକୁ ଫେରିବ ପୁଅ। ଆର୍ଯ୍ୟନଙ୍କୁ ଘରକୁ ଫେରାଇ ଆଣିବାକୁ ବାପା ଶାହରୁଖ ଖାନ ମୁମ୍ବାଇ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଗତକାଲି ସଂଧ୍ୟା ସୁଦ୍ଧା ଜେଲରୁ ବାହାର କରିବାକୁ ବହୁ କସରତ ହୋଇଥିଲେ ମଧ୍ୟ ୫ଟା ୫୩ସୁଦ୍ଧା ଜେଲରେ ପହଞ୍ଚି ପାରିନଥିଲା ବେଲ୍‌ ଅର୍ଡରର କପି।

aryan khan

ଅନ୍ଯପଟେ ଆର୍ଯ୍ୟନଙ୍କୁ ବେଲ୍‌ ମିଳିବା ଖବର ଶୁଣି ଭାବବିହ୍ଵଳ ହୋଇପଡ଼ିଥିଲେ ଶାହାରୁଖ ଖାନ୍‌। ପ୍ରଥମେ ଏହି ଖବର ତାଙ୍କୁ ଜଣାଇଥିଲେ ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ। ଭେଟିବା ସମୟରେ ଶାହାରୁଖଙ୍କ ଆଖି ଛଳଛଳ ହୋଇଯାଇଥିଲା । ଆର୍ଯ୍ୟନଙ୍କ ସହ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚ୍ଚାଙ୍କୁ ମଧ୍ୟ ବେଲ୍‌ ପ୍ରଦାନ କରିଛନ୍ତି କୋର୍ଟ। ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଜାମିନ ଖାରଜ ପରେ ଆର୍ଯ୍ୟନଙ୍କ ଜାମିନ ପାଇଁ ଲଢିଥିଲେ ମୁକୁଲ। ଆଉ ଶେଷରେ ମନ୍ନତକୁ ଫେରାଇ ଆଣିବାକୁ ତାଙ୍କ ପ୍ରୟାସ ସଫଳ ହୋଇଛି।

ସୂଚନା ଥାଉକି, ଅକ୍ଟୋବର ୨ ତାରିଖରେ ମୁମ୍ବାଇ ସମୁଦ୍ରତଟରେ ରେଭ ପାର୍ଟିରୁ ଅଟକ ହୋଇ ଗିରଫ ହୋଇଥିଲେ ଆର୍ଯ୍ୟନ। ୮ତାରିଖରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ସେପଟେ ମନ୍ନତ ଆଗରେ ଶାହରୁଖଙ୍କ ପ୍ରଶଂସକଙ୍କ ସେଲିବ୍ରେସନ ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.