ଆଜି ଦେଶ ପାଳୁଛି ୨୫ତମ କାରଗିଲ ବିଜୟ ଦିବସ, ଦ୍ରାସରେ ଆୟୋଜିତ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୫ତମ କାରଗିଲ ବିଜୟ ଦିବସ । ଏଥିପାଇଁ କାରଗିଲରେ ପ୍ରସ୍ତୁତି ଜୋରଦାର । ଏହି ଅବସରରେ କାରଗିଲ ଯୁଦ୍ଧର ହିରୋମାନଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲଦାଖର ଦ୍ରାସ ସେକ୍ଟରରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବେ ।
୧୯୯୯ ମସିହାର ଜୁଲାଇ ୨୬ ରେ କାର୍ଗିଲରେ ପାକିସ୍ତାନ ସେନା ଉପରେ ବିଜୟ ହାସଲ କରି ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ବନ୍ଧୁତାର ହାତ ବଢାଇଥିବା ଭାରତ ପ୍ରତି ବିଶ୍ୱାସଘାତକତା କରିଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା । ଅପରେସନ ବିଜୟରେ ସାରା ବିଶ୍ବ ଦେଖିଥିଲା ଭାରତୀୟ ଯବାନଙ୍କ ସାହସ ଓ ପରାକ୍ରମ। ବିଶ୍ୱାସଘାତକତା ସହ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ସୀମା ପାର୍ କରାଇ ଦେଶ ପାଳିଥିଲା ବିଜୟ ଦିବସ। ୨ ମାସ ୩ ସପ୍ତାହ ୨ ଦିନର କାରଗିଲ୍ ଲଢ଼େଇରେ ସହିଦ ହୋଇଥିଲେ ୫୨୭ ଭାରତୀୟ ସେନା ଅଧିକାରୀ ଓ ଯବାନ। ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନ। ଅନୁପ୍ରବେଶ କରି ଅକ୍ତିଆର କରିଥିବା ଭାରତୀୟ ପୋଷ୍ଟଗୁଡିକ ଉପରେ ପୁଣି ଥରେ ସଗର୍ବେ ଉଡିଥିଲା ତ୍ରିରଙ୍ଗା।