ଆଜି ବସିପାରେ ଆର୍ବିଆଇ କେନ୍ଦ୍ରୀୟ ବୋର୍ଡ ବୈଠକ , ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ହେବା ପରେ ପ୍ରଥମ ବୈଠକ

ଦିଲ୍ଲୀ(କେନ୍ୟୁଜ୍) : ଆଜି ବସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ। ଶକ୍ତିକାନ୍ତ ଦାସ ନୂଆ ଆରବିଆଇ ଗଭର୍ଣ୍ଣର ହେବା ପରେ ଏହା ତାଙ୍କର ପ୍ରଥମ ବୈଠକ। ଏଥିରେ କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ନଭେମ୍ବର ୧୯ରେ ହୋଇଥିବା କେନ୍ଦ୍ରୀୟ ବୋର୍ଡ ବୈଠକରେ ହୋଇଥିବା କିଛି ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା ହୋଇପାରେ।
ବିମୁଦ୍ରୀକରଣ ଓ ଜିଏସଟି ଲାଗୁ ପରେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର, ମଧ୍ୟମ ସଂସ୍ଥାଗୁଡିକ ସଂପର୍କିତ ନିଷ୍ପତ୍ତି ନେଇପାରନ୍ତି। ତେବେ ଆର୍ବିଆଇର ସ୍ୱାୟତ୍ତତା ଆଜିର ବୈଠକର ମୁଖ୍ୟ ଏଜେଣ୍ଡା ହେବ। ଆରବିଆଇ ଓ ସରକାରଙ୍କ ସହ ମତଭେଦ ପରେ ଶକ୍ତିକାନ୍ତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।