ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ
ନୂଆଦିଲ୍ଲୀ(କେନ୍ୟୁଜ୍) : ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ଆଜିଠୁ ଆରମ୍ଭ ହେଉଥିବା ବଜେଟ୍ ଅଧିବଶେନ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନରେ ଉଦ୍ବୋଧନ ଦେବେ । ଜୁଲାଇ ୪ରେ ଆସିବ ସଂସଦର ଅର୍ଥନୈତିକ ସର୍ଭେ ରିପୋର୍ଟ । ୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ୍ ପ୍ରଥମ ବଜେଟ୍ ଉସ୍ଥାପନ କରିବେ ।
ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ସହ ଗଠନମୂଳକ ବିତର୍କ ପାଇଁ ସବୁ ଦଳର ସହାୟତା ଲୋଡିଛନ୍ତି ମୋଦି । ଲୋକସଭାରେ ୫୪୫ ସିଟ୍ରୁ ଏନ୍ଡିଏର ୩୫୩ ସଦସ୍ୟ ଅଛନ୍ତି । କିନ୍ତୁ ରାଜ୍ୟସଭାରେ ୨୪୫ରୁ ଏନ୍ଡିଏ ସଂଖ୍ୟା ରହିଛି ୧୦୨ । ତେଣୁ ଟ୍ରିପଲ ତଲାକ ବିଲ୍ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରାଇବାରେ ସବୁ ଦଳର ସହଯୋଗ ଆବଶ୍ୟକ । ଏପରିକି ୱାନ ନେସନ, ୱାନ ଇଲେକ୍ସନ ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୧୯ରେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳଙ୍କ ଅଧ୍ୟକ୍ଷଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଟିଏମ୍ସି ନେତା ଡେରେକ୍ ଓବ୍ରେନ୍ ପ୍ରମୁଖ ଯୋଗଦେଇଥିଲେ । ବିଜେଡିରୁ ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ ।