ଆଜି ହେଉଛି ବିଶ୍ଵହସ୍ତୀ ଦିବସ, ପରିବେଶ ସନ୍ତୁଳନ ରକ୍ଷାରେ ରହିଛି ହାତୀର ପ୍ରମୁଖ ଭୂମିକା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ହେଉଛି ବିଶ୍ଵହସ୍ତୀ ଦିବସ। ପ୍ରତିବର୍ଷ ଅଗଷ୍ଟ ୧୨ କୁ ବିଶ୍ଵ ହସ୍ତୀ ଦିବସ ରୂପେ ପାଳନ କରାଯାଏ। ଦିନଥିଲା କୁହାଯାଉଥିଲା ହାତୀ ହେଉଛି ମଣିଷର ବନ୍ଧୁ। କିନ୍ତୁ ପରିବର୍ତ୍ତିତ ସମୟରେ ଏବେ ମଣିଷର ବଡ ଶତ୍ରୁ ଭାବେ ହାତୀକୁ ଗଣନା କରାଯାଉଛି। ପରିବେଶ ସନ୍ତୁଳନରେ ସବୁଠାରୁ ବଡ ପ୍ରାଣୀ ଏହି ହାତୀର ପ୍ରମୁଖ ଭୂମିକା ରହିଛି। କିନ୍ତୁ ଆଜିର ଦିନରେ ଏହି ପ୍ରାଣୀର ଅସ୍ତିତ୍ୱ ବିପଦରେ।

ବିପଦରେ ହାତୀ। ତୀବ୍ର ହୋଇଛି ହାତୀ-ମଣିଷ ଲଢେଇ। କେଉଁଠି ହାତୀ ମରୁଛି ତ କେଉଁଠି ହାତୀ ମାରୁଛି। କେଉଁଠି ହାତୀ ଘର ଭାଙ୍ଗୁଛି ତ କେଉଁଠି ଫସଲ ନଷ୍ଟ କରୁଛି, କେଉଁଠି ମଣିଷକୁ ଦଳିଚକଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ସେପଟେ ହାତୀ କେଉଁଠି ଶିକାରୀର ଶିକାର ହେଉଛି ତ କେଉଁଠି ଟ୍ରେନରେ କଟୁଛି କିମ୍ବା ବିଦ୍ୟୁତ ତାରରେ ଛନ୍ଦି ହେଉଛି। ୧୯୭୯ ମସିହାରେ ରାଜ୍ୟରେ ୨୦୪୪ ହାତୀ ଥିଲେ। ୨୦୧୭ରେ ହାତୀ ଗଣନାରେ ଏହା ୧୯୭୬କୁ ଖସି ଆସିଥିଲା। ୧୯୯୦ରୁ ୨୦୦୦ ମସିହା ଭିତରେ ବର୍ଷକୁ ହାରାହାରି ୩୩ ହାତୀ ମରୁଥିଲେ। ୨୦୦୧ରୁ ୨୦୧୦ ମଧ୍ୟରେ ଏ ସଂଖ୍ୟା ୪୬ ଛୁଇଁଥିଲା। ୨୦୧୦ମସିହା ପରଠାରୁ ବର୍ଷକୁ ମରୁଛନ୍ତି ୭୬ ହାତୀ। ୨୦୧୦ ଏପ୍ରିଲ୍‌ରୁ ୨୦୨୧ ଅଗଷ୍ଟ ଭିତରେ ରାଜ୍ୟ ୮୬୨ ହାତୀଙ୍କ ମୃତ୍ୟୁ ହୋଇଛି। ଏଠି ପ୍ରଶ୍ନ ଉଠୁଛି କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଉଛି?

ହାତୀର ବାଟ କାଟିଛି ମଣିଷ। ଜନସଂଖ୍ୟା ବଢୁଛି, କମୁଛି ହାତୀଙ୍କ ବାସସ୍ଥଳୀ। ସେମାନେ ଖାଉଥିବା ଖାଦ୍ୟ ଓ ପାଣି ଜଙ୍ଗଲରେ ମିଳୁନାହିଁ। ମଣିଷ କାଟି ଚାଲିଛି ଜଙ୍ଗଲ। ଫଳରେ ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି। ହାତୀ ଜାଣିଶୁଣି ମଣିଷ ସହ ସଂଘର୍ଷ କରନ୍ତି ନାହିଁ। ପରିସ୍ଥିତି ଏଭଳି ହୋଇଛି ଯୋଉଥିପାଇଁ ସେମାନେ ନିଜକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ହାତୀ କରିଡର ପାଇଁ ସରକାର ବିଭିନ୍ନ ପ୍ରୋଜେକ୍ଟ କରୁଛନ୍ତି। ତାହା ଏବେ ବି ଠିକ୍‌ ଭାବେ ହୋଇପାରିନାହିଁ।

ଏସିଆ ମହାଦେଶରେ ୧୯୯୦ ବେଳକୁ ୧୦ ଲକ୍ଷ ହାତୀ ଥିଲେ। ଏବେ ଏହି ସଂଖ୍ୟା ୪୦ରୁ ୫୦ ହଜାର ଭିତରେ ରହିଛି। ଭାରତରେ ୨୭ ରୁ ୩୦ ହଜାର ହାତୀ ରହିଛନ୍ତି। ଓଡିଶାରେ ହାତୀଙ୍କ ସଂଖ୍ୟା ୨ ହଜାରରୁ କମ୍‌। ସମୟ ଆସିଲାଣି ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ। ନଚେତନ ପରବର୍ତ୍ତି ପିଢି ପାଇଁ ଏହି ବିରାଟକାୟ ଜୀବ କେବଳ ବହିରେ ଏକ ଚିତ୍ର ହୋଇ ରହିଯିବ।

Leave A Reply

Your email address will not be published.