ଉପମା ବଦଳରେ ‘ବିରିୟାନୀ’ ଓ ‘ଚିକେନ୍ ଫ୍ରାଏ’ ମାଗିଲା ଅଙ୍ଗନବାଡ଼ି ଶିଶୁ, ଏବେ କେରଳ ସରକାର ବଦଳାଇବେ ମେନ୍ୟୁ

ଉପମା ବଦଳରେ ଚିକେନ୍ ଫ୍ରାଏ ମାଗି ଏବେ ଚର୍ଚ୍ଚାକୁ ଆସିଛି ଜଣେ ଅଙ୍ଗନବାଡ଼ି ଶିଶୁ । କୁନି ପିଲାଟି ବିରିୟାନୀ ଓ ଚିକେନ୍ ଫ୍ରାଏ ଦେବାକୁ ଦାବି କରିଛି । ତା’ର ଏହି ନିରୀହ କଥା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ବର୍ତ୍ତମାନ ଏହା ଉପରେ ରାଜ୍ୟ ସରକାର ମଧ୍ୟ ଧ୍ୟାନ ଦେବା ସହ ମେନ୍ୟୁ ସମୀକ୍ଷା କରିବା କଥା କହିଛନ୍ତି ।

ଏହି ମାମଲା କେରଳର । ଏଠାକାର ଏକ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ଶିଶୁ ଉପମା ବଦଳରେ ବିରିୟାନୀ ଓ ଚିକେନ୍ ଫ୍ରାଏ ଦେବାକୁ କହିଛି । ପିଲାଟିର କ୍ୟୁଟ୍ ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ନଜରକୁ ମଧ୍ୟ ଏହା ଆସିଥିଲା । ଏବେ ମନ୍ତ୍ରୀ ଅଙ୍ଗନୱାଡ଼ି କେନ୍ଦ୍ରର ମେନ୍ୟୁ ପରିବର୍ତ୍ତନ କରିବା ଉପରେ ବିଚାର କରୁଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର ନିଜ ଫେସବୁକ୍ ପେଜରେ ‘ଶଙ୍କୁ’ ନାମକ ପିଲାଟିର ଭିଡିଓ ସେୟାର କରିଥିଲେ । ମନ୍ତ୍ରୀ କହିଛନ୍ତି ଯେ ଏବେ ଅଙ୍ଗନୱାଡ଼ି ଖାଦ୍ୟ ମେନ୍ୟୁ ସମୀକ୍ଷା କରାଯିବ । ପିଲାଟି ଅତି ନିରୀହ ଭାବରେ ଏହି ଅନୁରୋଧ କରିଥିଲା ଏବଂ ଏହାକୁ ଗମ୍ଭୀରତାର ସହ ନିଆଯାଇଛି ।

ଶଙ୍କୁ, ତା’ର ମାଆ ଏବଂ ଅଙ୍ଗନୱାଡି କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇ ମନ୍ତ୍ରୀ କହିଛନ୍ତି ଯେ ଶଙ୍କୁର ପରାମର୍ଶକୁ ଧ୍ୟାନରେ ରଖି ମେନୁ ସମୀକ୍ଷା କରାଯିବ । ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଅଙ୍ଗନୱାଡି ମାଧ୍ୟମରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଭାଇରାଲ ଭିଡିଓରେ ହେଲମେଟ୍ ପିନ୍ଧିଥିବା ଜଣେ ଅଙ୍ଗନବାଡ଼ି ଶିଶୁ ଅତି ନିରୀହ ଭାବରେ ତା’ର ମାଆ ସହ କଥା ହେଉଛି । ସେ କହୁଛି ଯେ ମୋତେ ଅଙ୍ଗନବାଡ଼ିରେ ଉପମା ବଦଳରେ ‘ବିରିୟାନୀ’ ଓ ‘ପୋରିଚା କୋଝି (ଚିକେନ ଫ୍ରାଏ)’ ଦରକାର । ପିଲାଟିର ମାଆ କହିଛନ୍ତି ଯେ ଶଙ୍କୁ ଘରେ ବିରିୟାନୀ ଖାଉଥିବା ବେଳେ ଏହି ଦାବି କରିଥିଲା । ସେ ଏହାକୁ ରେକର୍ଡ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହାପରେ ଭିଡିଓଟି ଖୁବ୍ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଏହି ଦିନ ଖୋଲିବ ବଦ୍ରିନାଥ, କେଦାରନାଥ ଧାମର କପାଟ, ଖୁବ୍ ଶୀଘ୍ର ଆରମ୍ଭ ହେବ ଚାରିଧାମ ଯାତ୍ରା

You might also like