୨ ବର୍ଷର ପିଲା ହାତରେ ଚାଲିଗଲା ମା’ର ଜୀବନ, ଗୋଟିଏ ଭୁଲ ପାଇଁ ବାପା ହେଲେ ଗିରଫ

୨ ବର୍ଷର ପୁଅ ହାତରେ ଚାଲିଗଲା ମା’ର ଜୀବନ। ବାପାଙ୍କ ବନ୍ଧୁକରେ ଖେଳୁ ଖେଳୁ ଟ୍ରିଗର ଚିପି ଦେଇଥିଲା ପୁଅ। ଏହି ଗୁଳି ସିଧା ଯାଇ ବାଜିଥିଲା ମା’ର ମୁଣ୍ଡରେ। ଫଳରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ମହିଳା। ଏହି ମାମଲାରେ ପୋଲିସ ମୃତା ମହିଳାଙ୍କ ସ୍ୱାମୀ ତଥା ଛୁଆର ବାପାକୁ ଗିରଫ କରିଛି। ଆମେରିକାର ମଧ୍ୟ-ଫ୍ଲୋରିଡ଼ାରେ ଘଟିଛି ଏହି ଅଘଟଣ।

ରିପୋର୍ଟ ମୁତାବକ, ବାପାଙ୍କ ହ୍ୟାଣ୍ଡଗନ୍‌ ଦୁଇ ବର୍ଷର ପୁଅ ହାତରେ ପଡ଼ିଯାଇଥିଲା। ସେ ଏହାକୁ ଖେଳଣା ଭାବି ଖେଳୁଥିବା ବେଳେ ଟ୍ରିଗର ଚିପି ଦେଇଥିଲା। ଘରେ ଜୁମ୍‌ କଲରେ ମିଟିଂ କରୁଥିବା ମା’ ଦେହରେ ବାଜିଥିଲା ଏହି ଗୁଳି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ମାମଲାରେ ପୋଲିସ ପିଲାର ବାପା ୨୨ ବର୍ଷୀୟ ଭେଓନ୍‌ଡ୍ରେ ଏଭରୀଙ୍କୁ ମଙ୍ଗଳବାର ଗିରଫ କରିଛି। ତାଙ୍କ ଉପରେ ହତ୍ୟା ଓ ବନ୍ଧୁକ ରଖିବାରେ ଅବହେଳା କରିଥିବା ନେଇ ମାମଲା ରୁଜୁ ହୋଇଛି।

ତଦନ୍ତକାରୀ ଟିମ୍‌ କହିଛି ଯେ ୧୧ ଅଗଷ୍ଟ ଦିନ ୨ ବର୍ଷର ପୁଅକୁ ବାପାଙ୍କ ବ୍ୟାଗ୍‌ରୁ ଏକ ବନ୍ଧୁକ ମିଳିଥିଲା। ସେ ସେଥିରେ ଖେଳୁ ଖେଳୁ ଭୁଲବଶତଃ ଟ୍ରିଗର ଚିପି ଦେଇଥିଲା। ଫଳରେ ଗୁଳି ଯାଇ ତା ମା’ ଶମାୟା ଲିନ୍‌ଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ଶମାୟା ସେହି ସମୟରେ ଘରେ ଅଫିସର ଜୁମ୍‌ ମିଟିଂରେ ଥିଲେ। ଶମାୟା ମିଟିଂ ମଝିରେ ଟଳିପଡ଼ିବାରୁ ଭିଡିଓ କଲରେ ଥିବା ତାଙ୍କ ଅଫିସ ସହକର୍ମୀ ଏନେଇ ତୁରନ୍ତ ପୋଲିସକୁ ୯୧୧ରେ କଲ୍‌ କରି ଜଣାଇଥିଲେ।

ସେ ପୋଲିସକୁ କହିଥିଲେ ଯେ କ୍ୟାମେରାରେ ଶମାୟାଙ୍କ ପଛରେ ତାଙ୍କୁ ଗୁଳି ଚାଲିବାର ଶବ୍ଦ ଶୁଭିଥିଲା। ପରେ ଛୁଆ କାନ୍ଦିବା ଶବ୍ଦ। ଖବର ପାଇ ପୋଲିସ ଘରେ ପହଞ୍ଚି ଦେଖିବା ବେଳକୁ ଘର ସାରା ରକ୍ତ ପଡ଼ିଥିଲା ଓ ଛୁଆଟି ହାତରେ ବନ୍ଧୁକ ଧରି ବସି କାନ୍ଦୁଥିବାର ଦେଖିଥିଲା। ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ବନ୍ଧୁକର ଗୁଳି ମୁଣ୍ଡରେ ବାଜିବା ପରେ ଶମାୟାଙ୍କ ହାର୍ଟ ବନ୍ଦ ହୋଇଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ବନ୍ଧୁକ ରଖିବାରେ ଅବହେଳା କରିଥିବାରୁ ପୋଲିସ ଶମାୟାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.