ହଠାତ୍‌ ଆକାଶଛୁଆଁ ହେଲା ଟମାଟୋ! ୧୨୦ ଟଙ୍କା କିଲୋ ପର୍ଯ୍ୟନ୍ତ ପହଞ୍ଚିଲା ଦର; ବେପାରୀ ଜଣାଇଲେ ଏହି ବଡ଼ କାରଣ

ଦେଶର ଅଧିକାଂଶ ସହରରେ ଟମାଟୋର ଖୁଚୁରା ଦାମ୍‌ କିଲୋ ପିଛା ୮୦ ଟଙ୍କା ଆଖପାଖରେ ଚାଲୁଛି। କିନ୍ତୁ ସରକାରୀ ଆକଳନ ଅନୁସାରେ, ବ୍ୟାପକ ବର୍ଷା କାରଣରୁ କିଛି ଦକ୍ଷିଣ ରାଜ୍ୟରେ ଏହାର ଖୁଚୁରା ଦର ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଚେନ୍ନାଇରେ ଟମାଟୋର ଖୁଚୁରା ଦର ୧୦୦ ଟଙ୍କା ପ୍ରତି କିଲୋ ଥିବା ବେଳେ ପୁଡୁଚେରୀରେ ୯୦ ଟଙ୍କା, ବେଙ୍ଗାଲୁରୁରେ ୮୮ ଟଙ୍କା ପ୍ରତି କିଲୋ ରହିଛି। ସେହିପରି ହାଇଦ୍ରାବାଦରେ ୬୫ ଟଙ୍କାରେ କିଲେ ଟମାଟୋ ବିକ୍ରି ହେଉଥିବା ବେଳେ କେରଳରେ ଏହାର ଦାମ୍‌ କେବଳ କୋଟ୍ଟାୟମ୍‌ରେ ରହିଛି ୧୨୦ ଟଙ୍କା ପ୍ରତି କିଲୋ। ଏର୍ନାକୁଲମ୍‌ରେ ୧୧୦ ଟଙ୍କା କିଲୋରେ ଟମାଟୋ ବିକ୍ରି ହେଉଛି। ଏହିଭଳି ଥିରୁଅନନ୍ତପୁରମ୍‌ରେ ପ୍ରତି କିଲୋଗ୍ରାମ ଟମାଟୋର ଦାମ୍‌ ରହିଛି ୧୦୩ ଟଙ୍କା, ପଲକ୍କଡରେ ୧୦୦ ଟଙ୍କା, ତ୍ରିଶୂରରେ ୯୭ ଟଙ୍କା ଏବଂ ଭାୟନାଡ ଓ କୋଝିକୋଡ୍‌ରେ ୯୦ ଟଙ୍କା ରହିଛି।

କର୍ନାଟକରେ ଟମାଟୋର ଖୁଚୁରା ଦର ଧାରଓ୍ଵାଡରେ ୮୫ ଟଙ୍କା, ମୈସୁରରେ ୮୪ ଟଙ୍କା, ମେଙ୍ଗଲୁରରେ ୮୦ ଟଙ୍କା ଏବଂ ବେଲ୍ଲାରୀରେ ୭୮ ଟଙ୍କା ପ୍ରତି କିଲୋ ରହିଛି। ଆନ୍ଧ୍ର ପ୍ରଦେଶରେ ଟମାଟୋ ଦାମ୍‌ ବିଜୟଓ୍ଵାଡାରେ ୯୧ ଟଙ୍କା, ବିଶାଖାପାଟନମ୍‌ରେ ୮୦ ଟଙ୍କା ଏବଂ ତିରୁପତିରେ ୭୫ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ତାମିଲନାଡ଼ୁର ରାମନାଥପୁରମ୍‌ରେ ଟମାଟୋ ୧୧୯ ଟଙ୍କା ପ୍ରତି କିଲୋ ରହିଥିବା ବେଳେ ତିରୁନେଲେଓ୍ଵଲିରେ ୧୦୩ ଟଙ୍କା, ତିରୁଚିରାପଲ୍ଲୀରେ ୯୭ ଟଙ୍କା, କୁଡ୍ଡାଲୋରରେ ୯୪ ଟଙ୍କା ଏବଂ କୋୟମ୍ବଟୁରରେ ୯୦ ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଛି।

ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ୧୬୭ ସଣ୍ଟରର ତଥ୍ୟ ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ଟମାଟୋ ୭୨ ଟଙ୍କା ପ୍ରତି କିଲୋଗ୍ରାମ ପିଛା ରହିଛି। ଆକଳନ ଅନୁଯାୟୀ, ଟମାଟୋର ଖୁଚୁରା ଦାମ୍‌ରେ ଅକ୍ଟୋବର ପ୍ରାରମ୍ଭରୁ ବୃଦ୍ଧି ଘଟିଛି ଏବଂ ନଭେମ୍ବରରେ ବର୍ତ୍ତମାନ ଏହା ସର୍ବୋଚ୍ଚ ସ୍ତରରେ ଚାଲୁଛି। ଆଜାଦପୁର ଟମାଟୋ ସଂଘ ଅଧ୍ୟକ୍ଷ ଅଶୋକ କୌଶିକ କହିଛନ୍ତି, ‘ଦକ୍ଷିଣ ଭାରତରୁ ଦିଲ୍ଲୀକୁ ଟମାଟୋ ଆମଦାନୀ ବର୍ଷା ଯୋଗୁ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ବର୍ଷା ଜାରି ରୁହେ, ତା’ ହେଲେ ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ବର୍ତ୍ତମାନର ଦର ଠାରୁ ବଢ଼ି ଯାଇପାରେ’। ସେ କହିଥିଲେ କି, ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରୁ ଦେଶୀ ଟମାଟୋ ଆସିବା ହେତୁ ଆଜାଦପୁର ହୋଲସେଲ ବଜାରରେ ଟମାଟୋ ଦାମ୍‌ ମଙ୍ଗଳବାର ସାମାନ୍ୟ ହ୍ରାସ ପାଇଛି।