ନର୍ସଙ୍କ ସହ ହେଲା ପ୍ରେମ, ବିଷାକ୍ତ ଇଞ୍ଜେକ୍ସନ ଦେଇ ନେଇଗଲେ ନିଜ ସ୍ତ୍ରୀର ଜୀବନ; ହସ୍ପିଟାଲ କର୍ମୀ ଗିରଫ

ମହାରାଷ୍ଟ୍ରର ପୁଣେରେ ଏକ ଘରୋଇ ହସ୍ପିଟାଲରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଏଠାକାର ଜଣେ ନର୍ସଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା, ଯାହାଫଳରେ ବ୍ୟକ୍ତି ଜଣକ ନର୍ସଙ୍କୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ଦେଇଥିଲେ। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି କି, ହସ୍ପିଟାଲରେ ନର୍ସ ରୂପେ କାର୍ଯ୍ୟରତ ଥିବା ସ୍ୱପ୍ନିଲ ସାଓ୍ଵନ୍ତ ନାମକ ବ୍ୟକ୍ତିଙ୍କର ଅନ୍ୟ ଜଣେ ନର୍ସଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ସ୍ତ୍ରୀକୁ ହତ୍ୟା କରିଛନ୍ତି। ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୋଲିସ ଅନୁସାରେ, ସ୍ୱପ୍ନିଲ ସାଓ୍ଵନ୍ତ ୫ ମାସ ତଳେ ପ୍ରିୟଙ୍କା କ୍ଷେତ୍ରେଙ୍କୁ ବିବାହ କରିଥିଲେ। ସ୍ୱାମୀ, ସ୍ତ୍ରୀ ଏକ ଗାଁରେ ଭଡ଼ା ଘରେ ରହୁଥିଲେ। ସାଓ୍ଵନ୍ତ ନିଜ ସ୍ତ୍ରୀକୁ ୧୪ ନଭେମ୍ବରରେ ହସ୍ପିଟାଲ ଆଣିଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୋଲିସର କହିବା ହେଲା, ସ୍ୱପ୍ନିଲ ଏହି ପୂରା ଘଟଣାକୁ ଆତ୍ମହତ୍ୟା ପ୍ରମାଣ କରିବା ପାଇଁ ଶତଚେଷ୍ଟା କରିଥିଲା ଏବଂ ପୋଲିସକୁ ନାନା କଥା କହି ଭୁଅାଁ ବୁଲାଉଥିଲା। ଶେଷରେ ତାଙ୍କର ସବୁ ପ୍ରୟାସ ବିଫଳ ହୋଇଥିଲା ଏବଂ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୋଲିସକୁ ଘର ଭିତରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳିଥିଲା, ଯାହା ଉପରେ ପ୍ରିୟଙ୍କାଙ୍କ ହସ୍ତାକ୍ଷର ଥିଲା। ଏବେ ଏହି ସୁଇସାଇଡ୍‌ ନୋଟ୍‌କୁ ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.