ନଭି ମୁମ୍ବାଇରେ ବର୍ଷାର ତାଣ୍ଡବ, ଝରଣା ଦେଖିବାକୁ ଯାଇ ଫସିଗଲେ ପର୍ଯ୍ୟଟକ; ଏମିତି ହେଲେ ଉଦ୍ଧାର

ବର୍ଷା ଯୋଗୁ ମହାରାଷ୍ଟ୍ରରେ ଜନଜୀବନ ବହୁତ ପ୍ରଭାବିତ ହୋଇଛି । ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଧିକାରୀମାନଙ୍କୁ ହାଇ ଆଲର୍ଟରେ ରହିବାକୁ କହିଛନ୍ତି । ଆଇଏମ୍ଡି ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛି । ଏହାରି ଭିତରେ ନଭି ମୁମ୍ବାଇରେ କିଛି ପର୍ଯ୍ୟଟକ ଏକ ପର୍ଯ୍ୟଟନସ୍ଥଳୀରେ ଫସି ଯାଇଥିବା ସୂଚନା ରହିଛି ।
ସେମାନେ ନଭି ମୁମ୍ବାଇରେ ଏକ ଝରଣା ଦେଖିବାକୁ ଯାଇଥିଲେ, କିନ୍ତୁ ପ୍ରବଳ ବର୍ଷା ଯୋଗୁ ସେଠାରେ ଅଟକି ରହିଥିଲେ । ସିବିଡିର ଦୁର୍ଗା ନଗରସ୍ଥିତ ଝରଣା ଦେଖିବା ପାଇଁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଯାଇଥିଲେ ।
ଏ ସମ୍ପର୍କରେ ସୂଚନା ପାଇବା ପରେ କମିଶନର ଡ. କୈଳାସ ସିନ୍ଦେ ପୋଲିସ ଏବଂ ଜରୁରୀକାଳୀନ ସେବାର ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଟିମ୍ ପହଞ୍ଚି ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା, ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଚନ୍ଦ୍ରପୁର ଜିଲ୍ଲାରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଏହି କାରଣରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାତି ସାରା ବର୍ଷା ହେତୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଚନ୍ଦ୍ରପୁରର ଅଜୟପୁର ଗ୍ରାମ ନିକଟସ୍ଥ ଚାଷ ଜମିରେ କିଛି ଚାଷୀ ଅଟକି ରହିଥିବା ବେଳେ ସେପଟେ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିବା କିଛି ପର୍ଯ୍ୟଟକ ମଧ୍ୟ ଫସି ଯାଇଥିଲେ । ବର୍ତ୍ତମାନ ପୋଲିସ ପର୍ଯ୍ୟଟକ ଏବଂ କୃଷକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।