ମୁମ୍ବାଇ-ନାଗପୁର ହାଇୱେରେ ବସ୍ ମାଟାଡୋର ଧକ୍କା, ୪ ମୃତ, ୧୫ ଆହତ

ମହାରାଷ୍ଟ୍ର ବୁଲଢାଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୁମ୍ବାଇ-ନାଗପୁର ହାଇୱେରେ ଏକ ବସ୍ ଏବଂ ଇଟା ଭର୍ତ୍ତି ମାଟାଡୋର ଧକ୍କା ହେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ୧୦-୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ନାନ୍ଦୁରା ତହସିଲର ଆମସରୀ ଗାଁ ନିକଟ ମୁମ୍ବାଇରୁ ନାଗପୁର ଯାଉଥିବା ହାଇୱେ ନଂ ୫୩ରେ ଦୁର୍ଘଟଣା ଘଟିଛି । ଇଟା ଭର୍ତ୍ତି ଥିବା ମାଟାଡୋର ଏବଂ ମଧ୍ୟପ୍ରଦେଶ ପରିବହନର ଏସଟି ବସ୍ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମାଟାଡୋରରେ ଥିବା ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା, ସେହିପରି ବସରେ ଥିବା ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ଏହାଛଡା ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦-୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସହାୟତା କରି ପୋଲିସକୁ ସୂଚନା ଦେଇଥିଲେ । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ କିଛି ଆହତଙ୍କୁ ରେଫର କରାଯାଇଛି । ଦୁର୍ଘଟଣାରେ ରାସ୍ତାରେ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି କୋଟାରେ ଭୟଙ୍କର ସଡକ ଦୁର୍ଘଟଣା । ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଏକ ଦ୍ରୁତଗାମୀ କାର ସାମ୍ନାରୁ ଆସୁଥିବା ଏକ ବାଇକ୍କୁ ଧକ୍କା ଦେଇଥିଲା । ଏଥିରେ ବାଇକରେ ଥିବା ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ତୁରନ୍ତ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁଲତାନପୁର ଡାକ୍ତରଖାନାକୁ ନେଇଥିଲା । ଯେଉଁଠାରେ ଡାକ୍ତର ସମସ୍ତ ଚାରି ଜଣଙ୍କୁ ମୃତ ଘୋଷଣା କରିଥିଲେ ।
Also Read : ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା ଆରମ୍ଭ, ଘରେ ବସି ପୂଜା ପାଇଁ କରନ୍ତୁ ଅନଲାଇନ ବୁକିଂ, ଜାଣନ୍ତୁ କେମିତି