ମହାରାଷ୍ଟ୍ର: କୃଷ୍ଣା ନଦୀ ପାର୍‌ ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ଟ୍ରାକ୍ଟର; ଭାସିଗଲେ ୮, ୬ ଉଦ୍ଧାର

ମହାରାଷ୍ଟ୍ରର କୋହ୍ଲାପୁରରେ ଏକ ଯାତ୍ରୀବାହୀ ଟ୍ରାକ୍ଟର ନଦୀକୁ ଓଲଟି ପଡ଼ିଛି । ଏଠାରେ ଜଳାର୍ଣ୍ଣବ ରାସ୍ତା ଦେଇ ନଦୀ ପାର୍‌ କରୁଥିବା ଟ୍ରାକ୍ଟରଟି କୃଷ୍ଣା ନଦୀକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୮ ଜଣ ଲୋକ ନଦୀରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ଦୁଇଜଣଙ୍କୁ ଖୋଜା ଚାଲିଛି ।

ଏନ୍‌ଡିଆର୍‌ଏଫ୍‌ ଟିମ୍‌, ସ୍ଥାନୀୟ ଅଧିକାରୀ ଏବଂ ଗାଁର ଲୋକମାନେ ନଦୀରେ ଭାସି ଯାଇଥିବା ୨ ଜଣଙ୍କୁ ଖୋଜିବାରେ ଲାଗିଛନ୍ତି । ଏହି ଦୁର୍ଘଟଣା କୋହ୍ଲାପୁର ଜିଲ୍ଲାର ଇଚଲକରଞ୍ଜିରେ ଘଟିଛି । ଏଠାରେ ଟ୍ରାକ୍ଟରରେ ବସି କେତେଜଣ ଲୋକ କୃଷ୍ଣା ନଦୀ ପାର୍‌ ହେଉଥିଲେ । ନଦୀ ମଝିରେ ହିଁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏବଂ ଏଥିରେ ଥିବା ଯାତ୍ରୀମାନେ ନଦୀରେ ଭାସିଯାଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାଜସ୍ୱ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । ଏହାପରେ ଶିରୋଲରେ ମୁତୟନ ଏନ୍‌ଡିଆର୍‌ଏଫ୍‌ ଟିମ୍ ପହଞ୍ଚି ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶିରୋଲ ତହସିଲର ଆକିୱାଟ୍‌ ଗ୍ରାମରେ ଏହି ଘଟଣା ଘଟିଛି । ନଦୀରେ ଭାସିଯାଇଥିବା ୨ ଜଣଙ୍କୁ ଖୋଜାଖୋଜି କରାଯାଉଛି ।

ସୂଚନା ଅନୁସାରେ, ଏହି ସମସ୍ତ ଲୋକ କଦଳୀ କ୍ଷେତକୁ ଟ୍ରାକ୍ଟରରେ ବସି ଯାଉଥିଲେ । ରାସ୍ତାଟି ପାଣିରେ ବୁଡ଼ି ଯାଇଥିଲା । ଏଭଳି ପରିସ୍ଥିତିରେ ଡ୍ରାଇଭର ରାସ୍ତା ଜାଣିପାରି ନ ଥିଲେ, ଫଳରେ ଟ୍ରାକ୍ଟରଟି ରାସ୍ତାରୁ ନଦୀକୁ ଖସିପଡିଥିଲା ।

You might also like