ମରିସେନିଆରେ ଜାହାଜ ଦୁର୍ଘଟଣା, ୨୫ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୦ ଜଣ ନିଖୋଜ

ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ମରିସେନିଆରେ ଜାହାଜ ଦୁର୍ଘଟଣା। ଯେଉଁଥିରେ ୨୫ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୦ ଜଣ ନିଖୋଜ ଅଛନ୍ତି। ରାଜଧାନୀ ନୋଆକଚଟ ନିକଟ ଉପକୂଳରେ ଘଟିଥିବା ଏହି ଜାହାଜ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ମଧ୍ୟ ନିଖୋଜ ଅଛନ୍ତି ।  ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ୧୦୩ ପ୍ରବାସୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୫ଟି ମୃତଦେହ ଉଦ୍ଧାର କରାଯାଇଥିବା ମରିସେନିଆ ତଟରକ୍ଷୀ ବାହିନୀର ଜଣେ କମାଣ୍ଡର କହିଛନ୍ତି ।

ଅନ୍ତର୍ଜାତୀୟ ପ୍ରବାସନ ସଂଗଠନ-IOM କହିଛି ଯେ ପ୍ରାୟ ୩ ଶହ ଲୋକ ଗାମ୍ବିଆରୁ ଏକ କାଠ ଡଙ୍ଗାରେ ବାହାରି ଜୁଲାଇ ୨୨ରେ ଡଙ୍ଗା ବୁଡ଼ିଯିବା ପୂର୍ବରୁ ସମୁଦ୍ରରେ ୭ ଦିନ ବିତାଇଥିଲେ । ତଟରକ୍ଷୀ ବାହିନୀ ପହଞ୍ଚିବା ପୂର୍ବରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଜୁଲାଇ ୫ରେ ମଧ୍ୟ ସମାନ ଘଟଣା ଘଟିଥିଲା, ​​ଯେଉଁଥିରେ ମରିସେନିଆ ତଟରକ୍ଷୀ ବାହିନୀ ୮୯ ଜଣ ପ୍ରବାସୀଙ୍କ ମୃତଦେହକୁ ଏକ ଡଙ୍ଗା ଭିତରୁ ଉଦ୍ଧାର କରିଥିଲେ ।  IOM କହିଛି ଯେ, ଅନେକ ପ୍ରବାସୀ ମୋରୋକୋ ଉପକୂଳରେ ଅବସ୍ଥିତ କେନରି ଦ୍ୱୀପପୁଞ୍ଜରେ ପହଞ୍ଚିବାକୁ ଚେଷ୍ଟା କରନ୍ତି ।  ପଶ୍ଚିମ ଆଫ୍ରିକା ଠାରୁ ସ୍ପେନ ପର୍ଯ୍ୟନ୍ତ ଏହି ମାର୍ଗ ଦୁନିଆର ସବୁଠାରୁ ବିପଜ୍ଜନକ ମାର୍ଗ ମଧ୍ୟରୁ ଅନ୍ୟତମ  ।