ରାସ୍ତା କଡ଼ରେ ଥିବା କ୍ୟାଣ୍ଟର୍ କୁ ପିଟିଲା ପିକ୍ ଅପ୍ ଭ୍ୟାନ୍ : ୯ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ପଞ୍ଜାବ: ପଞ୍ଜାବ ଫିରୋଜପୁର-ଫାଜିଲ୍କା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏକ ପିକ୍ଅପ୍ ଗାଡ଼ି ଏବଂ କ୍ୟାଣ୍ଟର ମଧ୍ୟରେ ଭୀଷଣ ଧକ୍କା ହେବାରୁ ଏପରି ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପ୍ରାୟ ୧୫ ଜଣ ୱେଟର କୌଣସି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଫିରୋଜପୁରରୁ ଏକ ପିକଅପ୍ ଗାଡ଼ିରେ ଜଲାଲାବାଦ ଯାଉଥିଲେ । ହେଲେ ଗୋଲୁକା ମୋଡ଼ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଭଙ୍ଗା କ୍ୟାଣ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣାର ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ସମସ୍ତ ଘରର ସଦସ୍ୟମାନେ ବାହାରକୁ ବାହାରି ଆସିଥିଲେ । ଏହାପରେ ଖବର ପାଇ ସ୍ଥାନୀୟ ପୋଲିସ ଓ ସଡ଼କ ସୁରକ୍ଷା ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଫିରୋଜପୁର, ଫରୀଦକୋଟ, ଜଲାଲାବାଦ ଏବଂ ଗୁରୁହରସହାୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପଠାଯାଇଛି । ତେବେ ଏପର୍ଯ୍ୟନ୍ତ ମୃତକଙ୍କ କୌଣସି ପରିଚୟ ମିଳି ପାରି ନ ଥିବା ଡିଏସପି ସତନାମ ସିଂହ କହିଛନ୍ତି ।
ସେପଟେ, କୁହୁଡ଼ି ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Also Read: ଆମେରିକା: ବିମାନ ଓ ହେଲିକପ୍ଟର କ୍ରାସରେ ସମସ୍ତ ୬୭ ଯାତ୍ରୀ ମୃତ ! ଧକ୍କା ପରେ ୩ ଖଣ୍ଡ ହୋଇଥିଲା ବିମାନ